Advertisment

ବହୁ ପ୍ରତୀକ୍ଷାର ଅନ୍ତ; ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।

Ratna Bhandar

Ratna Bhandar

Advertisment

ଆଜି ରାଜ୍ୟବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଉତ୍କଣ୍ଠାର ଦିନ। ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । ଦୀର୍ଘ ୪୬ ବର୍ଷ ପରେ ଆଜି ଦିନ ଗୋଟାଏ ପରେ ଖୋଲାଯାଉଛି ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର। ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।

Advertisment

ଗତକାଲି ରାତିରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ତଦାରଖ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ । ତଦାରଖ ପରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ନୀତିକାନ୍ତିରେ ଯେପରି ବାଧା ନଉପୁଜେ, ସେଥିଲାଗି ଅସ୍ଥାୟୀ ଷ୍ଟଙ୍ଗରୁମ ଲାଗି ଉପଯୁକ୍ତ ସ୍ଥାନ ବାଛିଛୁ । ରତ୍ନଭଣ୍ଡାର ଖୋଲିବା ହେଉଛି ଆମର ପ୍ରାଥମିକତା । ସମସ୍ତ ପ୍ରକାର ପ୍ରସ୍ତୁତି ଠିକ୍ ଭାବେ ଚାଲିଛି।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯେତେବେଳେ ଶ୍ରୀମନ୍ଦିରରେ ପ୍ରବେଶ କରିବେ କମିଟି ସଦସ୍ୟ, ସେତେବେଳେ ସାମୟିକ ସମୟ ଲାଗି କଟକଣା ଜାରି ହେବ। ଆଜି ଏନେଇ ପୁଣି ଆଲୋଚନା ହେବ । ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।

Advertisment

ଆଜିଠାରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ କ୍ରମାଗତ ଭାବେ ଚାଲିବ। ଗତକାଲି ଏହା କହିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହ ଆଇନମନ୍ତ୍ରୀ କହିଛନ୍ତି, ଅଳଙ୍କାର ଗଣତି ମଣତି ନେଇ ରିଜର୍ଭ ବ୍ୟାଙ୍କ୍ ର ସହାୟତା ନିଆଯିବ। RBI ପ୍ରତିନିଧି ଉପସ୍ଥିତ ରହିବେ ଏବଂ ରତ୍ନଭଣ୍ଡାର ଟିମ୍ କୁ ସହାୟତା କରିବେ। ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ। ରତ୍ନଭଣ୍ଡାର ଗଣତି ମଣତି ସଂପର୍କରେ ଆଇନମନ୍ତ୍ରୀ କହିଛନ୍ତି ଯେ, ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ ଏବଂ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ। ଏହା ଆଗାମୀ ଦିନ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ଏହାକୁ ଖୋଲାଯିବା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି। ସରକାରକୁ ଆସିବାର ଦେଢ଼ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ତେବେ ଆଜି ରତ୍ନଭଣ୍ଡାର ଖୋଲିଲେ କେବଳ ଯେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ହେବ ତା ନୁହେଁ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ।

Advertisment

ପୂର୍ବରୁ ୧୮୦୫ ମସିହାରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରାଇଥିଲେ। ସେହି ସମୟରେ ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା। ସେହିପରି ୧୨୮ଟି ସ୍ବର୍ଣ୍ଣମୁଦ୍ରା, ୧୨ଶହ ୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା ଓ ୨୪ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଥିବା ଦର୍ଶାଯାଇଥିଲା। ସେହିପରି ଶେଷଥର ପାଇଁ ୧୯୭୮ରେ ୭୧ ଦିନ ଧରି ପ୍ରସ୍ତୁତ କରାଯାଇଥିଲା ଆଉ ଏକ ତାଲିକା।

୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨ ହଜାର ୮୮୩ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨ ହଜାର ୧୫୩ ଭରିର ରୂପା ଅଳଙ୍କାର ଥିଲା। ତା’ମଧ୍ୟରେ ଥିଲା ଦିଅଁଙ୍କ ଦୈନନ୍ଦିନ ବ୍ୟବହୃତ ଚଳନ୍ତି ଭଣ୍ଡାରର ୨୯୯ ଭରିରୁ ଅଧିକ ୮ ପ୍ରକାରର ସୁନା ଏବଂ ୨,୬୦୩ ଭରିର ୨୩ ପ୍ରକାରର ରୁପା ସାମଗ୍ରୀ।

Puri Jaggannth Temple Ratna Bhandar Sri Mandir Jay Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ