• Astrospeak
  • Live TV
  • Read In English

Rath Yatra 2025: ଆସିଲା ଆଜ୍ଞାମାଳ, ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ

ଆଜ୍ଞାମାଳ ବିଜେ ପରେ ରଥଖଳାରୁ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ଟଣା ହୋଇ ସିଂହଦ୍ୱାର ଆଗରେ ଲାଗିଛି । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାପ୍ରଭୁ । ପ୍ରସ୍ତୁତ ରଥ, ପଥ ପ୍ରସ୍ତୁତ ।

Rath Yatra
ରଥଯାତ୍ରା

ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି । ପ୍ରଥମେ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାର ନିକଟକୁ ଗଡ଼ିଥିଲା । ଏହା ପଛକୁ ଦେବଦଳନ ଓ ତାଳଧ୍ୱଜ ରଥକୁ ପୋଲିସ୍ କର୍ମଚାରୀ ଟାଣି ନେଇଥିଲେ । ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡଦାଣ୍ଡ । ପ୍ରସ୍ତୁତ ରଥ, ପଥ ପ୍ରସ୍ତୁତ । କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତ । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ । 

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଏଥିପାଇଁ କେତେ ପ୍ରସ୍ତୁତି କେତେ ଆୟୋଜନ । ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାବିଗ୍ରହ ।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ରଥ...ନିଆରା ପରମ୍ପରା ସହ ଜଡ଼ିତ ଏଠାକାର ଯାତ୍ରା

ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ରହିଛି ନଜର । ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ବର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ । ସବୁ ପ୍ରମୁଖ ସ୍ଥାନମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ CCTV ଲାଗିଛି । 

ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷ୍ଣ ନଜର ରଖିଛନ୍ତି । ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ । ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି ।