ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ୨ କ୍ୱିଣ୍ଟାଲ ମାଗଣା ଚିକେନ୍ ପକୋଡା !!

ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

Chicken Pakoda

ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ପ୍ରବଳ ଭିଡ ।

୪ ଘଣ୍ଟାରେ ଲୋକେ ଖାଇଗଲେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ତିଆରି ପକୋଡ଼ା । ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଗତ ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟା ଯାଇଥିଲା ।

୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍‌ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ । କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିବା ନେଇ ଚର୍ଚ୍ଚା ହୋଇଛି । ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ ଲମ୍ବା ଲାଇନରେ ଠିଆ ହୋଇ ପକୋଡ଼ା ଖାଇବା ସହ ଘରକୁ ନେଉଥିବା ଦେଖିବାକୁ ମିଳିଛି ।

ତେବେ କେଉଁ କାରଣ ପାଇଁ ମାଗଣା ଚିକେନ ପକୋଡା ବଣ୍ଟନ ହେଉଛି ତାହା ଜଣାପଡିନାହିଁ । ପୁରୀ ଜିଲ୍ଲାର ୪ଟି ବ୍ଲକ୍‌ରେ ବାର୍ଡଫ୍ଲୁ ଆତଙ୍କ ଥିବାରୁ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା ମାଂସ ଖାଇବାକୁ ବାରଣ କରାଯାଇଛି । ସେପଟେ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରହିଛି । ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି ।

ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ ରହିବ । ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ସୂଚନା ଅନୁସାରେ ବାର୍ଡ ଫ୍ଲୁର ହଟସ୍ପଟ୍‌ ସାଜିଛି ପୁରୀ । ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ପରେ ନିମାପଡ଼ା ଏବଂ ଡେଲାଙ୍ଗ ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିଲା । ସଂକ୍ରମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ RRT ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ସରିଛି ।