ଉଜୁଡ଼ିବାକୁ ବସିଲାଣି ବେଉସା, ତଥାପି ହସୁଛି ମାଟି ଦୀପ

ମାଟିରେ ଗଢ଼ା ଚାଲିଛି ଭଳିକି ଭଳି ଦୀପ । ଦୀପାବଳି ପାଇଁ ଚଳଚଞ୍ଚଳ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦୀପାବଳି ପାଇଁ ମହିଳା ଓ ପୁରୁଷ ମାନେ ଲାଗି ପଡ଼ିଛନ୍ତି ମାଟି ଦୀପ ତିଆରି କାମରେ।

Earthen Lamps

ମାଟିରେ ଗଢ଼ା ଚାଲିଛି ଭଳିକି ଭଳି ଦୀପ । ଦୀପାବଳି ପାଇଁ ଚଳଚଞ୍ଚଳ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦୀପାବଳି ପାଇଁ ମହିଳା ଓ ପୁରୁଷମାନେ ଲାଗି ପଡ଼ିଛନ୍ତି ମାଟି ଦୀପ ତିଆରି କାମରେ । ପାଖାପାଖି ୩୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ଦୀପ ତିଆରି କରୁଛନ୍ତି । ସମୟ ବଦଳିବା ସାଙ୍ଗକୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳିଛି । ଦୀପାବଳିକୁ ଆଲୋକିତ କରିବା ପାଇଁ ଲିଚୁ ଲାଇଟ ଓ ଅନ୍ୟ ଇଲେକ୍ଟ୍ରି ସାମଗ୍ରୀକୁ ଗ୍ରାହକ ଆପଣେଇଛନ୍ତି । ହେଲେ ଆଜି ବି ମାଟି ଦୀପର ବେଶ ଚାହିଦା ରହିଛି । ଛୋଟ ଦୀପଠୁ ଆରମ୍ଭ କରି ବଡ଼ ଦୀପ ମଧ୍ୟ ତିଆରି କରୁଛନ୍ତି କୁମ୍ଭାର ପରିବାର ।

ପ୍ରତିବର୍ଷ ଦୀପାବଳିରେ ପ୍ରତ୍ୟେକଟି ପରିବାର ୮ ହଜାରରୁ ୧୦ ହଜାର ଦୀପ ବିକି ଭଲ ଦି ପଇସା ରୋଜଗାର କରନ୍ତି । କୁମ୍ଭାର ପରିବାର କେବଳ ଦୀପ ନୁହେଁ, ବରଂ ମାଟିରେ ଭଳିକି ଭଳି ଟେରାକୋଟା ଜିନିଷ ଓ ଦେବାଦେବୀଙ୍କ ମୂର୍ତ୍ତି ବି ତିଆରି କରିଥାନ୍ତି । କିନ୍ତୁ ବାତ୍ୟା ଦାନା ଲାଗି ଏଥର ବେଶ ପ୍ରଭାବିତ ହୋଇଛନ୍ତି କୁମ୍ଭାର ପରିବାର । ସେମାନଙ୍କ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଦୀପାବଳିରୁ କିଛି ଭଲ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ।

ନିଜ କୌଳିକ ବୃତ୍ତିକୁ ଆପଣେଇ ବର୍ଷବର୍ଷ ଧରି ମାଟିର ଜିନିଷ ତିଆରି କରି ପରିବାର ଚଳାଇ ଆସୁଛନ୍ତି ଏହି କୁମ୍ଭାର ପରିବାର । କିନ୍ତୁ ଦିନକୁ ଦିନ ମାଟିର ଅଭାବ ଓ ପୋଡ଼ିବା ପାଇଁ ଜାଳେଣି କାଠର ଅଭାବ ସମସ୍ୟାକୁ ବଢ଼ାଉଛି । ସେହିଭଳି କାମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର ।