ନିଦ ହଜାଇଛି ବାଂଲାଦେଶୀ ମାଷ୍ଟରମାଇଣ୍ଡ, ସିଜ୍ ପାଇଁ ଝାଡ଼ଖଣ୍ଡ ମୁହାଁ କମିଶନରେଟ୍ ପୋଲିସ୍

ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ ।

Bangladesh Sim Box

ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅସାଦ୍ଦୁର ଜମାନର ସିମ୍ ବକ୍ସ କ୍ରାଇମ୍ । ମୋଡସ୍ ଅପରେଣ୍ଡିକୁ ଦେଖିଲେ ଲାଗୁଛି ଆତଙ୍କୀ କାର୍ଯ୍ୟକଳାପଠୁ କମ୍ ନୁହଁ । ଓଡ଼ିଶା ଆସି ହୋଟେଲରେ ରହିବା ଓ ଘର ଭଡ଼ା ନେଇ ସିମବକ୍ସ ବସାଇବା ଯାଏଁ ସବୁ କାମ ଚତୁରତାର ସହ ନିଜେ କରୁଥିଲା ଅସାଦ୍ଦୁର । କୌଣସି ଜାଗାରେ ଟିକିଏ ବି ପ୍ରମାଣ ଛାଡ଼ିନି ।

କେବଳ ତା’ର ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ହିଁ ଉଗାରି ଚାଲିଛି ଅସାଦ୍ଦୁରର ଅସଲ କଥା । ରାଜୁ କହିଛି, ଓଡ଼ିଶା ଭଳି ଝାଡ଼ଖଣ୍ଡରେ ବି ରହିଛି ସିମବକ୍ସ ନେଟୱାର୍କ । ଏହି ତଥ୍ୟ ପରେ ଏବେ ରାଞ୍ଚି ମୁହାଁ କମିଶନରେଟ୍ ପୋଲିସ । ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ ।

ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ । ଝାଡ଼ଖଣ୍ଡର ରାଞ୍ଚିରେ ବି କୁଆଡ଼େ ବସିଛି ସିମ୍ ବକ୍ସ ସେଟଅପ୍ । ଅର୍ଥାତ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ହୋଇ ଓଡ଼ିଶା ଓ ଝାଡ଼ଖଣ୍ଡରେ ଚାଲିଥିଲା ନେଟୱର୍କ । ବାଂଲାଦେଶୀ ରିଂ ମାଷ୍ଟର ଅସାଦ୍ଦୁର ଜମାନ, ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ହାତ କରି ବିଛାଇଛି ସିମବକ୍ସର ଅପରାଧିକ ନେଟୱାର୍କ ।

୫ ଦିନିଆ ରିମାଣ୍ଡରେ ଥିବା ରାଜୁଠାରୁ ଏହି ତଥ୍ୟ ପାଇବା ପରେ ଏବେ ଦଳବଳ ଧରି ରାଞ୍ଚି ମୁହାଁ କମିଶନରେଟ୍ ପୋଲିସ । ତେବେ ଝାଡ଼ଖଣ୍ଡର ଏଜେଣ୍ଟ କିଏ ? ସେହି ତଥ୍ୟକୁ ଗୋପନ ରଖିଛି ପୋଲିସ । ପୋଲିସ କମିଶନରଙ୍କ କହିବା କଥା, ସିମବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ତଥା ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ ଭୁବନେଶ୍ୱର ଏବଂ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବ୍ୟବସାୟ କରୁଥିଲା ।

ତା ଭିତରେ ମାଷ୍ଟରମାଇଣ୍ଡ ଅସାଦ୍ଦୁରକୁ ଭେଟିବା ପରେ ସିମ୍ ବକ୍ସ ଜାଲରେ ପଡ଼ିଥିଲା । ଡିଲ୍ ପରେ ବୈଧ ଭିସାରେ ଗତ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା ଅସାଦ୍ଦୁର । ପରେ ଡିସେମ୍ବରରେ କଟକ ଓ ଭୁବନେଶ୍ୱର ଆସି ରାଜୁ ନାଁରେ ଘରଭଡ଼ା ନେବା ସହ ସ୍ଥାପନ କରିଥିଲା ସିମବକ୍ସ ନେଟୱର୍କ । ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲ୍ । ଯେଉଁଠି ଅସାଦ୍ଦୁର ରହୁଥିଲା ବୋଲି ପୋଲିସକୁ ସୂଚନା ଦେଇଛି ରାଜୁ ।

ଆଜି ଏହି ହୋଟେଲରେ ଛାନଭିନ୍ କରିଥିଲେ ବି ପୋଲିସ ସେଭଳି କିଛି ତଥ୍ୟ ପାଇନି । ତା’ହେଲେ କ’ଣ ଆତ୍ମଗୋପନ କରି ଏହି ହୋଟେଲରେ ରହୁଥିଲା କି ଅସାଦ୍ଦୁର ? ଫେକ୍ ଡକ୍ୟୁମେଣ୍ଟ ଦେଇ ରହୁଥିଲା କି? SARAI ACT କହୁଛି, କୌଣସି ବିଦେଶୀ ଭାରତ ଆସି ଯଦି ହୋଟେଲ କିମ୍ବା ଯାତ୍ରୀ ନିବାସରେ ରହିବେ, ତେବେ ଫର୍ମ-ସି ଅନୁସାରେ ପୋଲିସକୁ ବିସ୍ତୃତ ତଥ୍ୟ ଦେବେ ।

ତେବେ କେଉଁ ଆଧାରରେ ଜଣେ ବିଦେଶୀ ହୋଇ ଏଇଠି ରହୁଥିଲା ବାଂଲାଦେଶୀ ଅସାଦ୍ଦୁର ? ତା ଭଳି ଆଉ ବି ବାଂଲାଦେଶୀ ଭୁବନେଶ୍ୱରରେ ଆତ୍ମଗୋପନ କରିଛନ୍ତି କି ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଏହି ହୋଟେଲର ରେଜିଷ୍ଟ୍ରାର, ଲେଜର ବୁକ ସିଜ୍ ସହ ସିସିଟିଭି ଫୁଟେଜ ମାଗି ତଦନ୍ତ କରୁଛି ପୋଲିସ ।

ବାଂଲାଦେଶରୁ, ପାକିସ୍ତାନ, ଚୀନରୁ ମଧ୍ୟପ୍ରାଚ୍ୟ ଦେଶ । ଏସବୁ ଦେଶର ଟେଲିଫୋନିକ କଲ୍ ସହ ଯୋଡ଼ି ହୋଇଥିବା ସିମବକ୍ସ ରାକେଟ୍ ପାଇଁ କେଉଁଠୁ ଓ କିଏ ଯୋଗାଉଥିଲା ପୁଳା ପୁଳା ସିମକାର୍ଡ ? କେମିତି ଜେନେରେଟ୍ କରାଯାଉଥିଲା ନମ୍ବର ? ସିମବକ୍ସ କ୍ରାଇମ୍ ପାଇଁ ଏଜେଣ୍ଟମାନଙ୍କୁ ପ୍ରଲୋଭନ ପଛରେ କିଏ କିଏ ସାମିଲ ? ୫ ଦିନିଆ ରିମାଣ୍ଡରେ ଥିବା ବଙ୍ଗୀୟ ଏଜେଣ୍ଟ ରାଜୁଠାରୁ ସତ ଉଗାରୁଛି ପୋଲିସ । ଭୁବନେଶ୍ୱର ଓ କଟକରୁ ମୋଟ୍ ୧୨ଟି ସିମବକ୍ସ ଜବତ କରିବା ପରେ ଆଗକୁ ଝାଡ଼ଖଣ୍ଡରୁ କି ତଥ୍ୟ ସାମ୍ନାକୁ ଆସୁଛି, ତାକୁ ଏବେ ଅପେକ୍ଷା ।