Pravasi Bharatiya Divas: ପ୍ରବାସୀ ମହାକୁମ୍ଭରେ ମୋଦି; କହିଲେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ..

ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।

Pravasi Bharatiya Divas

ପ୍ରବାସୀଙ୍କୁ ପ୍ରଶଂସା କଲେ, ଅପିଲ୍ କଲେ ଓ ଟାସ୍କ୍ ଦେଲେ ମୋଦି । ଉତ୍କଳର ନୌବାଣିଜ୍ୟ ପରଂପରା, ସଂସ୍କୃତି ଓ ଧଉଳି ଶାନ୍ତିସ୍ତୁପ ଗାଥା ବଖାଣିଲେ, ଭାରତର ବିକାଶ କଥା ଉଲ୍ଲେଖ କରିବା ସହ ବିକଶିତ ଭାରତରେ ସେମାନଙ୍କ ଯୋଗଦାନ କାମନା କଲେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦି ଆଜି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ । ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ନୌବାଣିଜ୍ୟ ପରଂପରା କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଖଣ୍ଡଗିରି, ଉଦୟଗିରି, କୋଣାର୍କ ସୂର୍ଯ୍ୟମନ୍ଦିର ଓ ବାଲିଯାତ୍ରା କଥା ଉଲ୍ଲେଖ କରିବା ସହ କହିଛନ୍ତି- ଶାନ୍ତିର ପ୍ରତୀକ ଧଉଳିରୁ ପ୍ରେରଣା ନେଇ ଆଜି ଭାରତ ସାରା ବିଶ୍ୱକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନାହିଁ, ବୁଦ୍ଧରେ ଅଛି । ପ୍ରବାସୀ ଭାରତୀୟଙ୍କୁ ଥ୍ୟାଙ୍କ ୟୁ ବୋଲି କହିବା ସହିତ, ଆପଣମାନଙ୍କ ପାଇଁ ସାରା ଦୁନିଆରେ ମୁଁ ଗର୍ବର ସହ ମୁଣ୍ଡ ଟେକିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଭୂତପୂର୍ବ । ଗତ ୧୦ ବର୍ଷ ଭିତରେ ବିଶ୍ୱ ଅର୍ଥନୀତିରେ ଆମେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ, ଖୁବଶୀଘ୍ର ତୃତୀୟ ବନିବୁ । ଭାରତର ପ୍ରଗତି ଆଜି ସବୁ ରେକର୍ଡ ଭାଙ୍ଗୁଛି ବୋଲି କହିବା ସହ, ଦମ୍ଭୋକ୍ତି ପ୍ରକାଶ କରିଛନ୍ତି- ସେଦିନ ବେଶି ଦୂର ନୁହେଁ, ଯେବେ ଆପଣ ମେଡ୍ ଇନ୍ ଇଣ୍ଡିଆ ବିମାନରେ ବସି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଆସିବେ ।

୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ସାଧନରେ ପ୍ରବାସୀଙ୍କ ଯୋଗଦାନ କାମନା କରିଛନ୍ତି ମୋଦି । ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି- ବିଶ୍ୱକୁ ଆମ ଐତିହ୍ୟ ସହ ଯୋଡ଼ିବା ପାଇଁ ନିଜ ପିଲାଙ୍କୁ ଭାରତର ଛୋଟ ଛୋଟ ସହର ବୁଲାନ୍ତୁ । ଆପଣ ପୁଣି ଭାରତ ଆସିଲେ ନିଜ ସହ ଅତିକମ୍ ରେ ୫ ଜଣ ବିଦେଶୀ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ । ଏଥିସହ ପ୍ରବାସୀଙ୍କୁ ସେମାନେ ରହୁଥିବା ଦେଶର ସଫଳ ମୂଳ ନିବାସୀଙ୍କ ପାଇଁ ପୁରସ୍କାର ସମାରୋହ ଆୟୋଜନ କରିବାକୁ ଟାସ୍କ ଦେଇଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ମହାମହିମ, ଆଜି ରାଜଭବନରେ ରାତ୍ରୀଯାପନ

ଲୋକାଲକୁ ଗ୍ଲୋବାଲ କରିବାରେ ବି ପ୍ରବାସୀଙ୍କ ବଡ଼ ଭୂମିକା କଥା ଉଲ୍ଲେଖ କରି କହିଛନ୍ତି, ମେଡ୍ ଇନ୍ ଇଣ୍ଡିଆ ଖାଦ୍ୟ ଓ ପୋଷାକ କିଣନ୍ତୁ । ବିଦେଶରେ ନ ମିଳୁଥିଲେ ଅନଲାଇନ ଅର୍ଡର କରନ୍ତୁ । ନିଜ କିଚେନ୍, ଡ୍ରଇଂରୁମ୍ ଓ ଗିପ୍ଟରେ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ ସାମିଲ କରନ୍ତୁ । ଯେଉଁ ଦେଶରେ ରହୁଛନ୍ତି ସେଠାରେ ନିଜ ମାଆଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ ବୋଲି ଅପିଲ୍ କରିଛନ୍ତି ମୋଦି ।

ଆଜିର ଉଦଘାଟନୀ ସମାରୋହରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ପାରିବାରିକ ପୁନର୍ମିଳନ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେହିପରି ପ୍ରବାସୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରି ରାଜ୍ୟ ବିକାଶରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆଜି ଭୁବନେଶ୍ୱର ମଞ୍ଚରୁ ପ୍ରବାସୀ ଭାରତୀୟଙ୍କୁ ମୋଦି ଦେଇଛନ୍ତି ବଡ଼ ଉପହାର । ଭର୍ଚୁଆଲ ମୋଡ୍‌ରେ ଦିଲ୍ଲୀ ନିଜାମୁଦ୍ଦିନ ରେଲୱେ ଷ୍ଟେସନରୁ ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରାର କରିଛନ୍ତି ଶୁଭାରମ୍ଭ । ୨୬ଟି ଦେଶରୁ ଆସିଥିବା ୧୫୦ ଭାରତୀୟ ବଂଶୋଦ୍ଭବଙ୍କୁ ଧରି ଏହି ଟୁରିଷ୍ଟ ଟ୍ରେନ୍, ମାଗଣାରେ ୧୫ ଦିନରେ ୧୭ଟି ପୌରାଣିକ ମହତ୍ତ୍ୱ ଥିବା ସ୍ଥାନ ବୁଲାଇବ ।

ଅଧିକ ପଢ଼ନ୍ତୁ: ପ୍ରବାସୀଙ୍କ ଭଲ ପାଇବା ଭୁଲି ହେବ ନାହିଁ: ମୋଦି