/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729262899.jpg)
Organ Trafficking
କଟକରୁ କନ୍ଧମାଳ । ଅଙ୍ଗତସ୍କରୀ ଅଭିଯୋଗକୁ ନେଇ ହଇଚଇ । କନ୍ଧମାଳରେ ଚାଲିଛି କବର ଖୋଳା । କଟକରେ ପୋଲିସ ଚଳାଇଛି ଅଭିଯୋଗର ସତ ଖୋଜା । ସତରେ କ’ଣ ଚିକିତ୍ସା ନାଁରେ ମଣିଷ ଦେହରୁ ଚୋରି ହୋଇଛି ଅଙ୍ଗ ? ଜୀବନ ବଞ୍ଚାଇବା ଆଶାରେ ଡାକ୍ତରଖାନା ଧାଇଁଥିବା ମଣିଷ ଅଙ୍ଗର ହୋଇଛି ତସ୍କରୀ ?
ବାଲିଗୁଡ଼ା ଟିକରବାଜୁ ଗାଁର ବାବୁଲା ଦିଗାଲ। ଆଜି ଆଉ ସେ ନାହାଁନ୍ତି ଇହଜଗତରେ। ପରିବାର ଲୋକଙ୍କ ଅଭିଯୋଗ, ସଡ଼କ ଦୁର୍ଘଟଣାର ଶିକାର ବାବୁଲାଙ୍କ ଦେହରୁ ଅଙ୍ଗ କାଢ଼ି ନିଆଯାଇଛି। ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତଳିପେଟରେ ରହିଥିଲା ବିରାଟ କଟାଦାଗ। ଷ୍ଟିଚିଂ ସହ ଲଗାଯାଇଥିଲା ବଡ଼ ବ୍ୟାଣ୍ଡେଜ।
ଅକ୍ଟୋବର ୧୩ । ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର MKCG,ପରେ ଭୁବନେଶ୍ୱର AIIMS, ତା’ପରେ ଏକ ଘରୋଇ ଆମ୍ବୁଲାନସ ଡ୍ରାଇଭରଙ୍କ ପରାମର୍ଶ ମାନି ରୁଦ୍ର ହସ୍ପିଟାଲରେ ବାବୁଲାଙ୍କୁ ଭର୍ତ୍ତି କରିଥିଲେ ସଂପର୍କିୟ। କିନ୍ତୁ ଦିନକ ପରେ ଚାଲିଗଲା ପ୍ରାଣବାୟୁ। ଏହାପରେ ସଂପୃକ୍ତ ମେଡ଼ିକାଲ ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍ସରେ ମୃତଦେହକୁ ଧରି କଟକରୁ ଗାଁ ଅଭିମୁଖେ ବାହାରିଥିଲେ ମୃତକଙ୍କ ସଂପର୍କୀୟ। ଆଉ ଅଧବାଟରେ ଜଣାପଡ଼ିଲା ମୁଣ୍ଡରେ ଆଘାତ ଲାଗିଥିବା ବାବୁଲାଙ୍କ ତଳି ପେଟରେ ଷ୍ଟିଚ୍ ସହ ବ୍ୟାଣ୍ଡେଜ୍ ବନ୍ଧାଯାଇଛି।
ତେଣୁ ଅଙ୍ଗତସ୍କରୀ ଆଶଙ୍କା ଭିତରେ ମୃତଦେହର ଅନ୍ତିମ ସତ୍କାର କରିଥିଲେ ଆତ୍ମୀୟ ସ୍ୱଜନ। ତା’ପରେ ଥାନାରେ ଦେଇଥିଲେ ଏତଲା। ଏତଲା ଆଧାରରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଗାଁ କବରରୁ ମୃତଦେହକୁ ଉଦ୍ଧାର ସହ ବ୍ୟବଛେଦ ପାଇଁ ପଠାଇଛନ୍ତି।
ଅଭିଯୋଗ ପରେ ସଂପୃକ୍ତ ମେଡ଼ିକାଲରେ ଖୋଳତାଡ଼ କରିଛି ପୋଲିସ। ଡାକ୍ତରଠୁ କର୍ମଚାରୀଙ୍କ ଯାଏଁ ପଚରାଉଚରା କରିଛି। ଅପରପକ୍ଷେ ଅଙ୍ଗତସ୍କରୀ ଅଭିଯୋଗକୁ ଖଣ୍ଡନ କରିବା ସହ ରୁଦ୍ର ହସ୍ପିଟାଲ ମ୍ୟାନେଜର କହିଛନ୍ତି, ଏହି ରୋଗୀଙ୍କ ପ୍ରଥମେ ସର୍ଜରୀ ହୋଇଥିଲା। ନ୍ୟୁରୋସର୍ଜନ ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥା ବି ହୋଇଥିଲେ ଏବଂ ତାଙ୍କର ଡିକମ୍ପ୍ରେସିଭ୍ କ୍ରାନିଓକ୍ଟୋମି କରାଯାଇଥିଲା। ଅର୍ଥାତ ସ୍କଲକୁ କଢ଼ାଯାଇ ପେଟରେ ଫ୍ଲାପକୁ ରଖାଯାଏ। ରୋଗୀ ସୁସ୍ଥହେବାର ୬ ମାସ ପରେ ପୁଣି ପେଟରୁ କାଢ଼ି ସ୍କଲକୁ ଲଗାଯାଏ। ତେବେ ମୃତ୍ୟୁପରେ କିନ୍ତୁ ବାବୁଲାଙ୍କ ବ୍ୟବଛେଦ ହୋଇନଥିବା ମାନିଛନ୍ତି ହସ୍ପିଟାଲ୍ ମ୍ୟାନେଜର।
ତେବେ ଡିକମ୍ପ୍ରେସିଭ୍ କ୍ରାନିଓକ୍ଟୋମି ଯଦି ଏକ ବିଧିବଦ୍ଧ ଏବଂ ଆଇନସିଦ୍ଧ ଚିକିତ୍ସା ବ୍ୟବସ୍ଥା, ତା’ହେଲେ କାହିଁକି ଏତେ ବିବାଦ ? ଏ ବାବଦରେ ଯଦି ରୋଗୀ ସଂପର୍କୀୟଙ୍କୁ ପୂର୍ବରୁ କୁହାଯାଇଥିଲା, ତେବେ କାହିଁକି ଉଠିଲା ଅଙ୍ଗତସ୍କରୀ ଆଶଙ୍କା ? ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସତ୍ତ୍ୱେ ବ୍ୟବଛେଦ ନକରି କିମ୍ବା ପୋଲିସକୁ ନଜଣାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଗଲା କାହିଁକି ?
ଅପରପକ୍ଷେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଅପେକ୍ଷା, ଜାରି ରହିଥିବା ପୋଲିସର ତଦନ୍ତ ଭିତରେ ଆଗକୁ କି ସତ ସାମ୍ନାକୁ ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)