ଭକ୍ତ ଭାବାବେଗକୁ ଭୀଷଣ ଆଘାତ... ଶେଷରେ ନିଲାମ ହୋଇଗଲା ‘ଅର୍ପଣ’ ଚାଉଳ

କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।

Arpana Chaula

କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ବେଳେ ସାରା ରାଜ୍ୟରୁ ସଂଗୃହିତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

କୁଇଣ୍ଟାଲ ପିଛା ୨ ହଜାର ୭୮୦ ଟଙ୍କାରେ ନିମାପଡ଼ାର ଏକ ରାଇସ୍ ମିଲ୍ ମାଲିକ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ କିଣିଛନ୍ତି । ସେ ବାବଦରେ ୨ କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କା ପୁରୀ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି । ପୁରୀ ଜିଲ୍ଲାପାଳ କହିଛନ୍ତି, ସେ ଅର୍ଥ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଯିବ ।

ତେବେ ପ୍ରଶ୍ନ ଉଠୁଛି ଅର୍ପଣ ଚାଉଳ କି ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ଆସିଥିଲା ? ହେଲେ କାହା ପାଖକୁ ଚାଲିଗଲା ? ମହାପ୍ରଭୁଙ୍କୁ ଭୋଗ ନଲାଗି ନିଲାମ ହୋଇଯାଇଥିବା ଶୁଣି କ୍ଷୁବ୍ଧ ଉଭୟ ଭକ୍ତ ଓ ସେବାୟତ । ସିଧା ନିଶାନା କରିଛନ୍ତି- ଗତ ବିଜେଡି ସରକାରକୁ । ଅଭିଯୋଗ କରିଛନ୍ତି- ଦୃରଦୃଷ୍ଟିର ଅଭାବରୁ ଏ ସ୍ଥିତି ଉପୁଜିଲା ।

ନିର୍ବାଚନ ପୂର୍ବରୁ ଲୋକଙ୍କ ମନରେ ମାହୋଲ ବନାଇବାକୁ ଓ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ମହୋତ୍ସବ ପ୍ରସଙ୍ଗରୁ ଓଡ଼ିଶାବାସୀଙ୍କ ନଜର ହଟାଇବାକୁ ଲୋକଙ୍କ ଭାବାବେଗ ସହ ଖେଳିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ଆଗରୁ ଜଗନ୍ନାଥଙ୍କ ନାଁରେ ପ୍ରହସନ କରି ଗାଁ ଗଣ୍ଡାରୁ ଚାଉଳ ଆଦାୟ କଲେ ।

ହେଲେ ଏତେ ପରିମାଣର ଚାଉଳ କେଉଁଠି ରହିବ ? କେମିତି ଠାକୁରଙ୍କ କାମରେ ଲାଗିବ ? ସେ ପ୍ଲାନ୍ କରିନଥିଲେ । ଯାହାର ପରିଣାମ ସ୍ୱରୂପ ଆଜି ହଜାର ହଜାର କୁଇଣ୍ଟାଲ ଚାଉଳ ପୁରୀକୁ ବୁହାଇ ଆଣି ନିଲାମ କରିବାକୁ ପଡ଼ିଲା । ବଡ଼ କଥା ହେଲା ସେତେବେଳେ ଅର୍ପଣ ଚାଉଳର ସୁବିନିଯୋଗ ନେଇ ସୁଆର-ମହାସୁଆର ନିଯୋଗ ବି ତିନିଟି ପ୍ରସ୍ତାବ ଦେଇଥିଲା ।

ଯେମିତିକି ବାରମିଶା ଚାଉଳକୁ ବଦଳାଇ ଭଲ ଚାଉଳ ଅଣାଯାଉ, ନହେଲେ ମିଲିଂ କରାଯାଉ କିମ୍ବା ଚାଉଳ ବିକ୍ରି କରାଯାଇ ସେ ଟଙ୍କା ମନ୍ଦିର ଫଣ୍ଡରେ ଡିପୋଜିଟ୍ ହେଉ । ଅବଶ୍ୟ ବହୁ ବାଦବିବାଦ ଭିତରେ ଅର୍ପଣ ଚାଉଳରୁ କିଛି କିଛି ଠାକୁରଙ୍କୁ ଖେଚୁଡ଼ି ଭୋଗ ଲଗାଯାଇ କିଛି ଦିନ ଭକ୍ତଙ୍କୁ ବଣ୍ଟା ହେଲା, ହେଲେ ସେ ବି ବନ୍ଦ ହୋଇଗଲା ।

ଏବେ କିଛି ଭକ୍ତ କହିଲେଣି, ଅର୍ପଣ ଚାଉଳ ନିଲାମ ଟଙ୍କାରେ ସେଇ ଭକ୍ତଙ୍କୁ ହିଁ ମହାପ୍ରସାଦ ବଣ୍ଟାଯାଉ । ତେଣେ ଅର୍ପଣ ଚାଉଳ ନିଲାମକୁ ନେଇ ରାଜନୀତି ବି ତେଜିଛି । ବିଜେଡି କହିଛି ଭକ୍ତ ଦେଇଥିବା ଚାଉଳକୁ ସରକାର ବିକିବା ଦୁର୍ଭାଗ୍ୟଜନକ । ଯାହାର କଡ଼ା ଜବାବ ରଖିଛି ବିଜେପି, ଦଳ କହିଛି-ଗତ ବିଜେଡି ସରକାର ଜଗନ୍ନାଥଙ୍କୁ ଟଲିରେ ବସେଇ ଭିକ ମାଗି ଚାଉଳ ଆଣିଥିଲା, ହେଲେ ତା ବ୍ୟବହାର କଥା ଚିନ୍ତା କରିନଥିଲା ।

ତେଣୁ କଣ ସେ ପୋକରା ଓ ଫିମ୍ପିମରା ଚାଉଳରେ ଠାକୁରଙ୍କ ଭୋଗ ରନ୍ଧା ହୋଇଥାନ୍ତା ବୋଲି ପାଲଟା ପ୍ରଶ୍ନ କରିଛି । ଏବେ ଦେଖିବାର କଥା, ଅର୍ପଣ ଚାଉଳ ନିଲାମ ପରେ ପ୍ରସଙ୍ଗ ଏଇଠି ଥମୁଛି, ନା ଆଗକୁ ବି ଲାଗି ରହୁଛି ।