ବାପାମାଆ ଦିନ ମଜୁରିଆ, ପୁଅର ଡାକ୍ତର ହେବାକୁ ଇଚ୍ଛା.. ହେଲେ ଅଣ୍ଟିରେ ନାହିଁ ଟଙ୍କା

ଗରିବ ଦିନ ମଜୁରିଆ ବାପା ମାଆଙ୍କ ପୁଅ ବନିବ ଡାକ୍ତର କିନ୍ତୁ ଏଥିପାଇଁ ଅର୍ଥ ସାଜିଛି ବାଧକ ।

Medical Study

ଗରିବ ଦିନ ମଜୁରିଆ ବାପା ମାଆଙ୍କ ପୁଅ ବନିବ ଡାକ୍ତର କିନ୍ତୁ ଏଥିପାଇଁ ଅର୍ଥ ସାଜିଛି ବାଧକ । ନିଟ ପାସ କରିବା ପରେ ପୁଅକୁ ମେଡିକାଲ କଲେଜରେ ନାମ ଲେଖାଇବା ଲାଗି ବାପା ମାଆଙ୍କ ପାଖରେ ଟଙ୍କା ନାହିଁ । ଯେଉଁଥି ପାଇଁ ପୁଅ ସମେତ ଚିନ୍ତାରେ ଅସହାୟ ବାପା ମାଆ । ଡାକ୍ତରୀ ଛାତ୍ର ଜଣକ ହେଲେ ଶଙ୍କର୍ଷଣ ମଣ୍ଡଳ ।

ଘର ତାଙ୍କର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ । ଚଳିତ ବର୍ଷ ନିଟ ପରୀକ୍ଷାରେ ପାସ କରିଛନ୍ତି । ହେଲେ ମେଡିକାଲ କଲେଜରେ ନାମ ଲେଖାଇବା ଲାଗି ପାଖରେ ଟଙ୍କା ନାହିଁ । ଯାହାକୁ ନେଇ ସଂପୃକ୍ତ ଛାତ୍ର ଜଣକ ଚିନ୍ତାରେ ରହିଛନ୍ତି । ବାପା ମାଣିକ ମଣ୍ଡଳ ଓ ମାଆ ଦେବକୀ ମଣ୍ଡଳ ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି ।

ବହୁ କଷ୍ଟରେ ପୁଅକୁ ପାଠ ପଢ଼ାଉଛନ୍ତି । ହେଲେ ଏବେ ପୁଅର ମେଡିକାଲ କଲେଜରେ ନାମ ଲେଖାଇବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନି । ଯେଉଁଥି ପାଇଁ ବାପା ପୁଅ ସେମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ବାପା ମାଆ ଦିନ ମଜୁରିଆ ଭାବେ କାମ କରନ୍ତି । ପଇସା ପତ୍ରର ଘୋର ଅଭାବ ।

କାମ କରି ଯାହା ରୋଜଗାର କରନ୍ତି, ସେଥିରେ ଘର ଚଳାଇବା କଷ୍ଟ ହୋଇପଡ଼େ । ପେଟରୁ କାଟି ପୁଅକୁ ପାଠ ପଢ଼େଇଛନ୍ତି । ନିଜ ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଦିନ ମାଆ କାମକୁ ବାହାରି ଯାଆନ୍ତି । ପୁଅକୁ କିଭଳି ପାଠ ପଢ଼ାଇବେ ସେ ନେଇ ସେ ଖୁବ ବିଚଳିତ ହୋଇପଡିଛନ୍ତି ।

ପୁଅ ଡାକ୍ତରୀ ପାଠ ପଢିବ, ସେ ନେଇ ସମ୍ପର୍କୀୟ ଲୋକେ ଖୁସି ଜାହିର କରିବା ସହ ଶଙ୍କର୍ଷଣକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଘରର ଆର୍ଥିକ ପରିସ୍ଥିତି ଭଲ ନଥିଲେ ମଧ୍ୟ ଶଙ୍କର୍ଷଣ ମଣ୍ଡଳ ନିଜର ଲକ୍ଷ୍ୟ ପଥରୁ କେବେ ବି ହଟି ନାହାନ୍ତି । ଡାକ୍ତରୀ ପାଠ ପଢିବା ଲାଗି ଅନେକ କଷ୍ଟରେ ନିଟ ପାସ କରିଛନ୍ତି । ତାଙ୍କୁ ଯଦି ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାନ୍ତେ, ତେବେ ଶଙ୍କର୍ଷଣ ଦେଖିଥିବା ସ୍ୱପ୍ନ ପୂରଣ ହୋଇ ପାରନ୍ତା ।