ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Ratnabhandar

ରତ୍ନ ଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ASIକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସେ ଲେଖିଛନ୍ତି ଯେ, ୨୦୧୮ରେ ASIର ଟେକନିକାଲ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରିଥିଲା । ଏହି ଅନୁଧ୍ୟାନ ବେଳେ ରତ୍ନଭଣ୍ଡାର ଭିତର ଅଂଶ ଅନେକାଂଶରେ ନଷ୍ଟ ହୋଇଥିବା ଜାଣିବାକୁ ପାଇଥିଲା ASI । ରତ୍ନଭଣ୍ଡାରର କାନ୍ଥ, ଛାତ ଓ ଚଟାଣ କ୍ଷତିଗ୍ରସ୍ତ ହୋଇଥବା ASI ଦେଖିବାକୁ ପାଇଥିଲା । ଏହାପରେ ଏହାର ତୁରନ୍ତ ମରାମତି ପାଇଁ ASI ପ୍ରସ୍ତାବ ଦେଇଥିଲା ।

ତେବେ ଏହା ଭିତରେ ୬ ବର୍ଷ ବିତି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ଅଂଶ ଅଧିକ ନଷ୍ଟ ହୋଇଥିବ ବୋଲି ଆଶଙ୍କା କରିଛନ୍ତି ସୁଦର୍ଶନ । ତେବେ ଫେବ୍ରୁଆରୀ ୨୦୨୪ରେ ରତ୍ନଭଣ୍ଡାର ବାହାର ଭାଗରେ ହୋଇଥିବା ଲେଜର ସ୍କାନିଂ ବେଳେ ବି ଫାଟ ଥିବା ଜଣାପଡ଼ିଥିଲା । ତେବେ ଅଧିକ କ୍ଷତିଗ୍ରସ୍ତ ହେବା ପୂର୍ବରୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ସୁଦର୍ଶନ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଗତକାଲି ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କରିଥିଲେ ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାରକୁ ଖୋଲାଇ ନଦେବାକୁ, ପୂର୍ବରୁ ଯୋଜନା ହୋଇଛି ବୋଲି ମୋର ସନ୍ଦେହ ରହିଛି ବୋଲି କହିଛନ୍ତି ସୁଦର୍ଶନ। 

ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଯିବା ସନ୍ଦେହ ସୃଷ୍ଟି କରୁଛି । ନୂଆ ସରକାର ଚାରି ଦ୍ୱାର ଖୋଲିବା ନିଷ୍ପତ୍ତି ନେଲେ । ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରି ସରକାରଙ୍କୁ ସହଯୋଗ କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱ ଦେଉନାହାନ୍ତି ।

ରତ୍ନ ସିଂହାସନ ମରାମତି ପାଇଁ ଶ୍ରୀବିଗ୍ରହକୁ ଅସ୍ଥାୟୀ ସିଂହାସନକୁ ଆଣି ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ରତ୍ନ ଭଣ୍ଡାରକୁ କେବଳ ରଥଯାତ୍ରା ସମୟରେ ଖୋଲାଯିବା କଥା କହିବା କାରଣ କଣ ଜଣା ପଡୁନାହିଁ । ତେବେ ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ପ୍ରାଧିକୃତ କମିଟି ରିପୋର୍ଟ ଓ ୨୦୨୩ରେ ଲେଜର୍ ସ୍କାନିଂ ରିପୋର୍ଟରେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ସ୍ପଷ୍ଟ ହୋଇଥିବା ବେଳେ ପରିଚାଳନା କମିଟି କିନ୍ତୁ ଏ ବାବଦରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସୁଦର୍ଶନ ।