Advertisment

OTET Scam: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ; ବୋର୍ଡରେ କେବେଠୁ ଚାଲିଛି ନିହାର-ଜିତନ ନେକ୍ସସ ?

ଦିନେ ହାଇଟେକ୍ ତାଲା ଦେଖାଉଥିଲେ...ହାଇଫାଇ ଗପୁଥିଲେ...ପଚାରିଲେ କହୁଥିଲେ- କ୍ବଶ୍ଚିନ୍ ପେପର୍ ଲିକ୍ ? ଏଥର ତ ପ୍ରଶ୍ନ ଉଠୁନି। ହେଲେ ଦେଖିବା ବେଳକୁ ସେ ହିଁ ବାହାରିଲେ ଢୋଲ ଭିତର ମୂଷା।

OTET Scam

OTET Scam

Advertisment

ବୋର୍ଡରେ କେବେଠୁ ଚାଲିଛି ନିହାର-ଜିତନ ନେକ୍ସସ୍ ? କେତେ ଗଭୀରକୁ ଲମ୍ବିଛି ଏହି ରାକେଟ୍ ର ଚେର ? ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ଉଭୟଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଉଗାରିବାକୁ କ୍ରାଇମବ୍ରାଞ୍ଚର ତୟାରି। ଦୁହିଁଙ୍କ ଆର୍ଥିକ ସାମ୍ରାଜ୍ୟ କ୍ରାଇମବ୍ରାଞ୍ଚ ସ୍କାନରରେ ଥିବା ବେଳେ, ସେପଟେ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ବୋର୍ଡ ସଭାପତି । ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରେ କେମିତି ପତିଆରା ଜମାଇଥିଲେ ନିହାର, ଆସନ୍ତୁ ଜାଣିବା...

Advertisment

ଦିନେ ହାଇଟେକ୍ ତାଲା ଦେଖାଉଥିଲେ... ହାଇଫାଇ ଗପୁଥିଲେ... ପଚାରିଲେ କହୁଥିଲେ- କ୍ବଶ୍ଚିନ୍ ପେପର୍ ଲିକ୍ ? ଏଥର ତ ପ୍ରଶ୍ନ ଉଠୁନି। ହେଲେ ଦେଖିବା ବେଳକୁ ସେ ହିଁ ବାହାରିଲେ ଢୋଲ ଭିତର ମୂଷା। ଓଟିଇଟି ବିଭ୍ରାଟର ମୁଖ୍ୟ ଅଭିଯୁକ୍ତ-ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଶିକ୍ଷକତାରୁ ବୋର୍ଡରେ ଏଣ୍ଟ୍ରି ମାରିଥିଲେ । ବର୍ଷ ବର୍ଷ ଧରି ହାକିମାତି ଜମାଇଥିଲେ । ଏବେ ଜେଲରେ ବିତୁଛି ବାବୁଙ୍କ ରାତି । 

ସ୍କୁଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିବା ନିହାର ପ୍ରଥମେ ଭୁବନେଶ୍ବର ଜୋନାଲ୍ ଅଫିସରେ ସହକାରୀ ସଂପାଦକ ଓ ପରେ ବ୍ରହ୍ମପୁର ଜୋନାଲ ଅଫିସରେ କିଛି ବର୍ଷ କାର୍ଯ୍ୟ କରିବା ପରେ, ୨୦୧୩ରେ କଟକ ସ୍ଥିତ ବୋର୍ଡ ମୁଖ୍ୟାଳୟରେ ପରୀକ୍ଷା ନିୟନ୍ତ୍ରକ ଭାବେ ଯୋଗ ଦେଇଥିଲେ। ତା ପରେ ବନିଲେ ସଂପାଦକ ଆଉ ୪ ବର୍ଷ ଧରି ଥିଲେ ଉପସଭାପତି। ଚର୍ଚ୍ଚା ହେଉଛି-୨୦୧୩ରୁ ୨୦୨୫ ଭିତରେ ପୂରା ବୋର୍ଡ କାର୍ଯ୍ୟାଳୟକୁ ନିଜ ନିୟନ୍ତ୍ରଣରେ ରଖିବା ସହ, ସଭାପତିଙ୍କୁ ବାଇପାସ୍ କରି, ପରୀକ୍ଷା ତଦାରଖ ବ୍ୟବସ୍ଥାକୁ ବି ନିଜ ଅକ୍ତିଆରକୁ ନେଇଯାଇଥିଲେ ନିହାର। ଏଥିପାଇଁ ସଭାପତି , ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କ ବଦଳି ହେଉଥିଲେ ବି, ଗାଦିରୁ ହଲୁ ନଥିଲେ ଉପ-ବାବୁ। ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣାଙ୍କ ସହ ଚଳାଇଥିଲେ ସିଣ୍ଡିକେଟ୍। ଖାଲି କଣ ଏତିକି...୨୦୧୬ ଓଟିଇଟି ପରୀକ୍ଷା ବିଭ୍ରାଟ, ୨୦୧୮ ମାଟ୍ରିକ ପ୍ରଶ୍ନପତ୍ର ଲିକ୍, ୨୦୧୯ ଓଟିଇଟି ପ୍ରଶ୍ନପତ୍ର ଲିକ୍, ୨୦୨୨ରେ ପୁଣି ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ। ଏଭଳି ଅନେକ ଘଟଣା ସେ ବୋର୍ଡରେ ଥିବା ବେଳେ ଘଟିଥିବାରୁ, ଏସବୁରେ ତାଙ୍କର ସଂପୃକ୍ତି ରହିଛି କି ନାହିଁ, ତାହା ବି ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ଦାବି ହେଉଛି । ହେଲେ ସେତେବେଳେ ପ୍ରଶ୍ନପତ୍ର ଲିକ୍ କିମ୍ବା ଭାଇରାଲ ଘଟଣାକୁ ଖଣ୍ଡନ କରିବା ସହ, ସାଇବର ଥାନାରେ ଲିଖିତ ଅଭିଯୋଗ କରି ଚୁପ ହୋଇ ବସିଯାଉଥିଲେ ନିହାର। ତେବେ ସେସବୁ କଣ କେବଳ ନିଜକୁ ବଞ୍ଚାଇବା କାରସାଦି ଥିଲା, ତାକୁ ନେଇ ସନ୍ଦେହ ଉପୁଜିଛି।

Advertisment

ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ନିହାର ମହାନ୍ତିଙ୍କ ଆର୍ଥିକ ସ୍ଥିତି ଏବଂ ଜିତନ-ନିହାର ଆର୍ଥିକ କାରବାର। ଆଗକୁ ନିହାରଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛି କ୍ରାଇମବ୍ରାଞ୍ଚ। ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ସଙ୍ଘ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ବି ରିମାଣ୍ଡରେ ଆଣିପାରେ। ଆସନ୍ତାକାଲି ଏନେଇ କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ତେବେ ଏହା ପୂର୍ବରୁ ଅଭିଯୁକ୍ତ ମାନଙ୍କୁ କଣ କଣ ପ୍ରଶ୍ନ ପଚରାଯିବ, ସେନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଏବେ ସୁଦ୍ଧା ଜିତନଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ବିଜୟ ମିଶ୍ରଙ୍କ ଆକାଉଣ୍ଟକୁ ୯୯ ହଜାର ଟଙ୍କା ଆସିଥିବା କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଛି। ତେବେ ଏହା ବାଦ ଆଉ କାହା ଆକାଉଣ୍ଟକୁ କେତେ ଟଙ୍କା ଏବଂ ନଗଦ ଆକାରରେ କେତେ ନେଣଦେଣ ହୋଇଛି, ସେ ଦିଗରେ ବି ଖୋଳତାଡ଼ ଜାରି ରହିଛି । ତଦନ୍ତ ସମୟରେ ଆଉ ଏକ କଥା ମଧ୍ୟ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ନିୟମ ରହିଛି ପରୀକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ଭିଡିଓଗ୍ରାଫି କରାଯିବା କଥା। ହେଲେ ନିହାର ସେସବୁ ଜାଣିଶୁଣି କରୁନଥିଲେ ବୋଲି କୁହାଯାଉଛି। ସେପଟେ ପରୀକ୍ଷା ପ୍ରକ୍ରିୟାରେ କେଉଁସବୁ ସଂସ୍କାର ଓ ପରିବର୍ତ୍ତନର ଆବଶ୍ୟକତା ରହିଛି, ସେସଂପର୍କିତ ଏକ ପରାମର୍ଶମୂଳକ ରିପୋର୍ଟ ବୋର୍ଡ ମାଗିବା ପରେ, କ୍ରାଇମବ୍ରାଞ୍ଚ ତାକୁ ବି ଦେବ ବୋଲି ସୂଚନା ମିଳିଛି।

ଏପଟେ ଚର୍ଚ୍ଚା ଆରମ୍ଭ ହୋଇଛି, ବୋର୍ଡ ସଭାପତିଙ୍କ ଭାଗ୍ୟ ଭବିଷ୍ୟତକୁ ନେଇ। ଓଟିଇଟି ବିଭ୍ରାଟ ପରେ ତାଙ୍କ ଉପରେ ହେବ କି ବିଭାଗୀୟ ଆକ୍ସନ୍ ? ଆଜି ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ମନ୍ତ୍ରୀଙ୍କ ସହ କଣ ଆଲୋଚନା ହେଲା, ସେନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ ବି, ପ୍ରଶ୍ନ ପତ୍ର ଲିକ୍ ଓ ପରବର୍ତ୍ତୀ ପରୀକ୍ଷା ସୁପରିଚାଳନା ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

Advertisment
OTET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ