Organ donation
ଆଜି ବୋଲ ମାନୁନି ଲୁହ...ଭିଜିଯାଉଛି ଆଖି...କୋହରେ ଛାତି କୋରି ହୋଇଯାଉଛି...କିନ୍ତୁ ସମ୍ମାନ, ସ୍ବୀକୃତି ଓ ଗୌରବରେ ମନ ଆଉ ପ୍ରାଣ ଭରିଯାଉଛି। ଦିନେ ଏହି ମା’ ପେଟକୁ କାଟି ଏବଂ ଛାତିରୁ କ୍ଷୀର ଝରାଇ ଯେଉଁ ପୁଅକୁ ପାଳିପୋଷି ବଡ଼ କରିଥିଲେ, ସେହି ପୁଅ ଆଜି ଏ ଜନ୍ମରେ ନାହିଁ ସତ, କିନ୍ତୁ ତାର ଅଙ୍ଗରେ ଆଜି ଜୀବନ ଜୀଉଁଛନ୍ତି ଅନ୍ୟ ୩ ଜଣ। ନୀଳମାଧବ କଣ୍ଟିଲୋର ସୌମ୍ୟରଂଜନ ବେହେରା।
ଗତ ଜୁଲାଇ ୧୫ରେ ବ୍ରେନ୍ ଷ୍ଟ୍ରୋକରେ ଆଖି ବୁଜିଲେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ। ହେଲେ ତାଙ୍କର ୨ଟି କିଡନୀ ସହ ଲିଭର୍ ଆଜି ୩ ଜଣଙ୍କୁ ଜୀବନ ଦେଇଛି।...ସମାନ କାହାଣୀ ଭୁବନେଶ୍ବର ଜୟଦେବ ବିହାରର ସୁଷମା ସାହୁଙ୍କ ପରିବାରରେ। ୨୮ ବର୍ଷିୟ ପୁଅ ଗତବର୍ଷ ଅଗଷ୍ଟରେ ହୃଦଘାତରେ ଚାଲିଗଲେ। କିନ୍ତୁ ପୁଅକୁ ଅମର ରଖିବା ପାଇଁ ସ୍ବାମୀଙ୍କୁ ହରାଇ ସାରିଥିବା ସୁଷମା ନିଷ୍ପତ୍ତି ନେଲେ ପୁଅର ଅଙ୍ଗଦାନ ପାଇଁ। ଆଉ ବିକାଶଙ୍କ ଲିଭରରେ ଆଜି ଜୀବନ ପାଇଛନ୍ତି ଆଉ ଜଣେ।
ଏ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ଲକ୍ଷ୍ମୀ ନାରାୟଣ ପତି। ଆଜିକୁ ୧୩ ବର୍ଷ ତଳେ କିଡନୀ ରୋଗରେ ପିଡ଼ିତ ଥିଲେ ସେ। ହେଲେ ବ୍ରେନ ଡେଡ୍ ପରେ ଜଣେ ଯୁବକଙ୍କ କିଡନୀ ପ୍ରତିରୋପଣ କରାଯିବା ପରେ ଏବେ ଲକ୍ଷ୍ମୀନାରାୟଣ ପାଇଛନ୍ତି ନୂଆ ଜୀବନ। କିନ୍ତୁ ସମସ୍ତଙ୍କ ଭାଗ୍ୟ ସମାନ ନୁହଁ। ଆଜି ବି ଅନେକ ରୋଗୀ କିଡନୀ ଅପେକ୍ଷାରେ ପଡ଼ି ରହିଛନ୍ତି ମେଡ଼ିକାଲରେ।
ତଥ୍ୟ କହୁଛି, ଦେଶରେ ପ୍ରତିବର୍ଷ ୫ ଲକ୍ଷରୁ ଉର୍ଦ୍ଧ ଲୋକ ଅଙ୍ଗ ନପାଇ ପ୍ରାଣ ହରାଉଛନ୍ତି। ଓଡିଶାରେ ତ ପ୍ରତିବର୍ଷ ୫ ହଜାରରୁ ଉର୍ଦ୍ଧ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଥିବାବେଳେ ସେମାନଙ୍କ ଠାରୁ ଅଙ୍ଗ ସଂଗ୍ରହ କରି ପ୍ରତିରୋପଣ କଲେ ପ୍ରତିବର୍ଷ ପ୍ରାୟ ୧୦ ହଜାର ଜୀବନ ବଞ୍ଚିଯାନ୍ତା। ପ୍ରାୟ ୫୦ ହଜାର ଲୋକ ଅଙ୍ଗଦାନ ପାଇଁ ଭାରତୀୟ ଅଙ୍ଗଦାନ ସମିତିରେ ନାଁ ବି ପଞ୍ଜୀକରଣ କରିସାରିଛନ୍ତି। କିନ୍ତୁ କିଡନୀ ଓ ଆଖିକୁ ଛାଡିଦେଲେ ଓଡିଶାରେ ଲିଭର ଓ ହାର୍ଟ ପ୍ରତିରୋପଣ ଅସମ୍ଭବ। SCBରେ ମାତ୍ର ୨ଟି ଲିଭର ଟ୍ରାନ୍ସପ୍ଲାଣ୍ଟ ପରଠୁ ବନ୍ଦ। ଚକ୍ଷୁ କର୍ଣ୍ଣିଆ ସଂଗ୍ରହ ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିର୍ଭର କରିବାକୁ ପଡୁଛି।
ଏପରିକି ରାଜ୍ୟ ବାହାରକୁ ଦୁର୍ଘଟଣାରେ ମୃତକଙ୍କ ଅଙ୍ଗକୁ ପଠାଇବାକୁ ପଡୁଛି। ଅଙ୍ଗ ପ୍ରତିରୋପଣକୁ ରାଜ୍ୟ ସରକାରଙ୍କ ସୋଟୋ ନିୟନ୍ତ୍ରଣ କରୁଥିବା ବେଳେ ବହୁ ଅମୂଲ୍ୟ ଅଙ୍ଗ ପ୍ରତିରୋପଣ ନହୋଇ ନଷ୍ଟ ହୋଇଯାଉଥିବା କହିଛି ଅଙ୍ଗଦାନ ସମିତି।
ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଅଙ୍ଗଦାନ କ୍ଷେତ୍ରରେ ଉତ୍ସାହ ପାଇଁ ଏବଂ ସଚେତନତା ଉଦ୍ଦେଶ୍ୟରେ ଆଜି ରାଜ୍ୟର ୨୪ ଜଣ ଅଙ୍ଗଦାତାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ପ୍ରଥମ ଅଙ୍ଗଦାତା ସୂରଜଙ୍କ ନାଁରେ ନାମିତ ସୂରଜ୍ ଆୱାର୍ଡ କାର୍ଯ୍ୟକ୍ରମରେ ୫ ଲକ୍ଷ ଲେଖାଁଏ ସହାୟତା ରାଶି ପ୍ରଦାନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755102734.jpg)