କୁଆଡ଼େ ଗଲେ ଅଲିଭ ରିଡଲେ; ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିଲେ, ଏବର୍ଷ ହାତ ଗଣତି

ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ ।

Olive Ridley

ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ । ଚାଲେ ସମୂହ ଅଣ୍ଡାଦାନ । ଦୁଇ ମାସ ପରେ ବେଳାଭୂମି ବାଲିରେ ପୋତି ହୋଇଥିବା ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଗର୍ଭକୁ ଫେରି ଯାଆନ୍ତି । ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର ।

କିନ୍ତୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ସମୂହ ଅଣ୍ଡାଦାନ ଓ ବଂଶବୃଦ୍ଧି ପ୍ରକ୍ରିୟାରେ ଏବର୍ଷ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଖାଁ ଖାଁ ଋଷିକୁଲ୍ୟା ମୁହାଁଣ । ଆଗନ୍ତୁକ ଅତିଥିଙ୍କ ଦେଖା ନାହିଁ । ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ । ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇ ଥାଇପାରେ।

ଅଧିକ ପଢ଼ନ୍ତୁ: ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ସେହିପରି ମଝିରେ ମଝିରେ ବର୍ଷା ଯୋଗୁ ଓଦା ବାଲି ଖୋଳିବା ସମ୍ଭବ ନହେବାରୁ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇପାରିଲା ନାହିଁ । ଗତବର୍ଷ ଋଷିକୁଲ୍ୟା ମୁହାଣରେ ୬ ଲକ୍ଷରୁ ଅଧିକ ଅଣ୍ଡାଦାନ ହୋଇଥିଲା । ୨୦୨୨ରେ ୫ଲକ୍ଷରୁ ଅଧିକ ଅଣ୍ଡା ଦେଇଥିଲେ ଅଲିଭ ରିଡଲେ । ଏବର୍ଷ ଅପ୍ରତ୍ୟାଶିତ ଭାବରେ ସଂଖ୍ୟା କମିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

ସେମାନଙ୍କ ମତରେ ସ୍ୱଳ୍ପ ବର୍ଷା ଯୋଗୁଁ ଋଷିକୁଲ୍ୟା ମୁହାଣରେ ମିଠା ପାଣି ସମୁଦ୍ରରେ ମିଶିଲାନି । ଖାରି ପାଣି ପଶିଯାଇଛି । ଯାହା ସେମାନଙ୍କୁ ସୁହାଇଲା ନାହିଁ । ସେହିପରି ଏଲନିନୋର ଶେଷ ପର୍ଯ୍ୟାୟ ସହ ତାପମାତ୍ରା ବୃଦ୍ଧି ଓ ପାଣିପାଗରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି ପରିବେଶବିତ୍ । ଅଲିଭ ରିଡଲେ କଇଁଛଙ୍କ ବାସସ୍ଥାନ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶି ।

ଅଣ୍ଡାଦାନ ପାଇଁ ଯେଉଁ କିଛି ସ୍ଥାନକୁ ଏମାନେ ବାଛି ଥାଆନ୍ତି, ସେଥିରେ ରହିଛି ଓଡ଼ିଶାର ଋଷିକୁଲ୍ୟା ସମେତ କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଓ ପୁରୀ ଜିଲ୍ଲାର ଦେବୀ ମୁହାଁ । ଏବର୍ଷ ସେସବୁ ସ୍ଥାନରେ ବି କମିଛି ଅଲିଭ ରିଡଲେଙ୍କ ଆଗମନ ଓ ସମୂହ ଅଣ୍ଡାଦାନ ।