Woman Constable Dies
ପୁଣି ବଧୂ ନିର୍ଯାତନା। ଅକଥନୀୟ ଅତ୍ୟାଚାର ଆଉ ଟର୍ଚର। ମା’ର କଥାରେ ପଡି ପୁଅ ବି ପାଲଟିଗଲା ଶତ୍ରୁ। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ଚାହିଁଲାନି। ଶେଷରେ ଆଉ ସହିପାରିଲେନି ମହିଳା କନଷ୍ଟେବଳ। ଝୁଲି ପଡିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ କାନ୍ଦି କାନ୍ଦି ବଖାଣିଛନ୍ତି ନିଜ କୋହଭରା କାହାଣୀ। ୭ ମିନିଟ୍ ୨୦ ସେକେଣ୍ଡର ଏକ ଭିଡିଓ ଜାରି କରି ଶାଶୁ ଓ ସ୍ୱାମୀ ଦେଉଥିବା ନିର୍ଯାତନର ଗୋଟି ଗୋଟି କଥା କହିଛନ୍ତି। ମରିବାକୁ ଇଚ୍ଛା ନାହିଁ ହେଲେ ସେମାନେ ବଞ୍ଚିବାକୁ ଦେଉନାହାନ୍ତି। ମୋ ମଝିଆ ନାନି ପୁଅ କଥା ବୁଝିବୁ। ଏସ୍ପି ସାର୍ ଆପଣ ନ୍ୟାୟ କରିବେ କହି ଝୁଲି ପଡିଛନ୍ତି।
ନୂଆପଡା ଜିଲ୍ଲା ପୋଲିସରେ କାର୍ଯ୍ୟରତ ରୁକ୍ମିଣୀ ନାଗ। ସେ କୋମନା ଥାନା ଭେଲା ଅଞ୍ଚଳର ଚୁଡାମଣି ଶବରଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଏ ବିବାହରେ ରାଜି ନଥିଲେ ତାଙ୍କ ସ୍ୱାମୀଙ୍କ ପରିବାର ଲୋକେ। ପ୍ରଥମେ କୋର୍ଟ ମ୍ୟାରେଜ ପରେ ବୁଝାସୁଝା କରି ମନ୍ଦିରରେ ପଡିଥିଲା ହାତଗଣ୍ଠି । ଚୁଡାମଣି ମଧ୍ୟ ଜିଲ୍ଲା ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟରତ। ଉଭୟ ରାଧାକୃଷ୍ଣପଡ଼ାରେ ରହୁଥିଲେ। ହସଖୁସିରେ ବିତୁଥିଲା ଉଭୟଙ୍କ ଜୀବନ। ହେଲେ ଦାମ୍ପତ୍ୟ ଜୀବନରେ ଏଣ୍ଟ୍ରି ମାରିଥିଲେ ଶାଶୁ ମାଳତୀ ଶବର।
ଏହାପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଗର୍ଭବତୀ ଥିବା ସମୟରେ ବି ଦରଦ ଦେଖାଇନଥିଲେ ଶାଶୁ। ପୁଅକୁ ଛାଡପତ୍ର ଦେବାକୁ ବାଧ୍ୟ କରୁଥିଲେ। ଆଉ ଏପଟେ ମା’ କଥାରେ ପଡି ସ୍ୱାମୀ ବି ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ଅତିଷ୍ଟ ହୋଇ ରୁକ୍ମିଣି ଆତ୍ମହତ୍ୟା କରିଥିବା କହିଛନ୍ତି। ନିଜ ମୃତ୍ୟୁ ପାଇଁ ସେ ସ୍ୱାମୀ ଓ ଶାଶୁକୁ ଦାୟୀ କରିଛନ୍ତି। ନୂଆପଡ଼ା ରେଲୱେ ଷ୍ଟେସନ୍ ପାଖ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କନେଷ୍ଟବଳ ରୁକ୍ମଣୀଙ୍କ ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ମହିଳା ପୋଲିସ କର୍ମଚାରୀ କାହିଁକି ଆତ୍ମହତ୍ୟା କଲେ? ଘଟଣା ପଛର ଅସଲ କାରଣ କ’ଣ? ଶାଶୁଘର ଲୋକଙ୍କ ନିର୍ଯାତନା ନା ଆଉ କିଛି? ଏନେଇ ତଦନ୍ତ ଜାରି ରହିଥିବା ବେଳେ ସେ ଜାରି କରିଥିବା ଭିଡିଓକୁ ନେଇ ପୋଲିସ ତନାଘନା ଚଳାଇଛି । ସେପଟେ ମୃତ କନଷ୍ଟେବଳଙ୍କ ସ୍ବାମୀ କି ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755420802.jpg)