ରଙ୍ଗରେ ମସଗୁଲ ରାଜନେତା; ଦଳ ମତ ନିର୍ବିଶେଷରେ ପାଳନ କଲେ ହୋଲି...

ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।

bright colours on Holi

ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ରଙ୍ଗର ପର୍ବ ହୋଲିକୁ ବେଶ ଧୁମଧାମରେ ପାଳନ କରାଯାଉଛି । ରଙ୍ଗର ପର୍ବ ପାଳନ ପାଇଁ ସମସ୍ତେ ମସଗୁଲ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ପାଳନ କରିଛନ୍ତି ହୋଲି । ପରିବାର, ବନ୍ଧୁ, ପ୍ରୀୟଜନଙ୍କୁ ନେଇ ରଙ୍ଗ ଖେଳରେ ହଜିଗଲେ ସମସ୍ତେ । ଘରେ ଘରେ ପିଠା, ପଣା ସାଙ୍ଗକୁ ସ୍ବାଦିଷ୍ଟ ବ୍ୟଞ୍ଜନର ମଜା ନେବା ସହ ରଙ୍ଗ ଲଗାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଦଳ ମତ ନିର୍ବିଶେଷରେ ସମସ୍ତେ ହୋଲିର ରଙ୍ଗରେ ରଙ୍ଗିନ ହୋଇଛନ୍ତି ରାଜନେତା । 

ନିର୍ବାଚନ ପୂର୍ବରୁ ନେତା ମାନେ ନିଜ ନିଜ ସମର୍ଥକ ଗହଣରେ ଜୋରଦାର ହୋଲି ଖେଲିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତାମାନେ ପହଞ୍ଚି ହୋଲି ପାଳନ କରିଛନ୍ତି । ଏଥିସହ ଶଙ୍ଖ ଭବନରେ ମଧ୍ୟ ଜୋରଦାର ପାଳନ ହୋଇଛି ହୋଲି । ବିଧାୟକ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । କଂଗ୍ରେସ କାର୍ଯ୍ୟାଳୟରେ ବି ସମର୍ଥକ ମାନେ ପହଞ୍ଚି ହୋଲି ଉତ୍ସବ ପାଳନ କରିଛନ୍ତି । 

 ରାସାୟନିକ ରଙ୍ଗର ବ୍ୟବହାର ନକରି ଫଗୁ ଲଗାଇ ଧୁମଧାମରେ ପାଳନ କରିଛନ୍ତି । ନିର୍ବାଚନ ପୂର୍ବରୁ ନେତା ବିଧାୟକ ସାଂସଦ ମାନେ ନିଜ ସମର୍ଥକଙ୍କ ଗହଣରେ ହୋଲି ପାଳନ କରିଛନ୍ତି । ସପରିବାର ସହ ରହି ନେତାମାନେ ହୋଲି ଖେଲିଛନ୍ତି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ, କୋରାପୁଟ ସାଂସଦ ସପ୍ତଗୀରୀ ଉଲାକା, ବିଜେପି ସାଂସଦ ପ୍ରାର୍ଥୀ କାଲିରାମ ମାଝି ପ୍ରମୁଖ ନିଜ ନିଜ ପରିବାର ଓ ସମର୍ଥକଙ୍କ ସହ ହୋଲି ଖେଲିଛନ୍ତି । 

ସେହିପରି ଭୁବନେଶ୍ବର, କଟକ, ସମ୍ବଲପୁର, ପୁରୀ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ ଧୁମଧାମରେ ହୋଲି ପର୍ବ ପାଳନ ହୋଇଛି। କେବଳ ସହର ନୁହେଁ ଗାଁ ଗହଳିରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କେଉଁଠି ଫୁଲ ଓ ଅବିରରେ ରଙ୍ଗ ଖେଳା ଯାଇଥିବା ବେଳେ ଅଧିକଂଶ ସ୍ଥାନରେ ହର୍ବାଲ ହୋଲି ଖେଳାଯାଇଥିଲା । ଭୁବନେଶ୍ବରରେ ହୋଲି ଖେଳ ସହ ରେନ ଡ୍ୟାନସର ମଜା ନେଇଥିଲେ ରାଜଧାନୀ ବାସିନ୍ଦା । ସେପଟେ ରାଉରକେଲା NITରେ ଛାତ୍ରଛାତ୍ରୀ ଖେଳିଥିଲେ ମଡ୍ ହୋଲି ।