Police ASI Death
ଦରପୋଡା ବାଇକ୍ । ପାଖରେ ଅର୍ଦ୍ଧଦଗ୍ଧ ମୃତଦେହ। ନା ଗାଡିର ଚିହ୍ନ ବର୍ଣ୍ଣ ଅଛି ନା ପାଖରେ ପଡିଥିବା ମରଶରୀରର। କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ବନମାଳିପୁର ନିକଟରେ ଛାତି ଥରାଇଦେଲା ଭଳି ଦୃଶ୍ୟ। ଭୋରୁ ଭୋରୁ ପୋଲିସ ପାଖରେ ପହଞ୍ଚିଥିଲା ଖବର। ଆଉ ଯାଞ୍ଚ ବେଳେ ଜଣାପଡିଲା, ମୃତକ ହେଲେ ପୋଲିସ ASI ପବିତ୍ର ଗୋଲାପି । ପାରିପାର୍ଶ୍ବିକ ସ୍ଥିତି ଦର୍ଶାଉଥିଲା ବଡ ଧରଣର ଦୁର୍ଘଟଣା ଆଡକୁ । ତୁରନ୍ତ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ବି ପହଞ୍ଚିଥିଲା। କେମିତି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି, ଆରମ୍ଭ ହୋଇଥିଲା ଘଣ୍ଟାଚକଟା।
ପୋଲିସର ସୂଚନା ଅନୁସାରେ, ୪୩ ବର୍ଷୀୟ ପବିତ୍ର ଗୋଲାପୀ କଳାହାଣ୍ଡି ଜିଲ୍ଲା କେ.ଗାଁ ଥାନାରେ କାର୍ଯ୍ୟରତ ଥିଲେ। ତେବେ କାର୍ଯ୍ୟରେ ଅବହେଳା ଦର୍ଶାଇ ଗତମାସରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଅଫିସରେ କାମ କରୁଥିଲେ। ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିଲେ ପବିତ୍ର। ଏନଏଚ୍-୨୬ ବନମାଳିପୁର ଛକ ନିକଟରେ ଅଟକିଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ତାଙ୍କ ଗାଡି। ଦୁର୍ଘଟଣା ପରେ ବାଇକରେ ନିଆଁ ଲାଗିଯିବା ସହ ପବିତ୍ର ବି ଜଳିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି, ରାସ୍ତାରେ ଏତେ ବଡ଼ ଦୁର୍ଘଟଣା ଘଟି ଜଣେ ଜୀବନ୍ତ ପୋଡ଼ିଗଲେ, ଗାଡି ପୂରା ଜଳିଗଲା, ହେଲେ ବାଇକ୍ ତଳେ ପଡିଲାନି କେମିତି ? ଦୁର୍ଘଟଣା ପରେ ବି ଷ୍ଟାଣ୍ଡ ଦ୍ବାରା ଗାଡ଼ି ଠିଆ ହେଲା କେମିତି ? ପାଖରେ ମୃତଦେହ ପଡିଥିବାବେଳେ ପୋଡି ଯାଇଥିବା ଗାଡିକୁ କିଏ ଏବଂ କାହିଁକି ଉଠାଇବ? ଏହା ଦୁର୍ଘଟଣା ନା ସୁଚିନ୍ତିତ ହତ୍ୟାକାଣ୍ଡ? ପବିତ୍ରଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇନି ତ? ବିଚ୍ ରାସ୍ତାରେ ଗାଡ଼ି ସହ ପବିତ୍ରଙ୍କୁ ପୋଡି ଦିଆଯାଇନି ତ? ସସପେନ୍ସ ଭିତରେ ରହିଛି ASI ପବିତ୍ରଙ୍କ ମୃତ୍ୟୁ।
ପବିତ୍ରଙ୍କ ମୃତ୍ୟୁ ପରେ ପରେ କେ ଗାଁ ଥାନା ଅଧିକାରୀଙ୍କ ବିରୋଧରେ ସିଧାସଳଖ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପରିବାର। ପତ୍ନୀଙ୍କ କହିବା କଥା, ଚାକିରିକୁ ନେଇ ଚାପରେ ଥିଲେ ପବିତ୍ର। ଆଇଆଇସି ମୁକୁନ୍ଦ ନାୟକ ତାଙ୍କ ସ୍ବାମୀଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ସସପେଣ୍ଡ କରି ଆଉ ଜଏନିଂ କରାଉନଥିଲେ। ତେଣୁ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିଲେ ପବିତ୍ର। ଜୁନାଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ସହ ତଦନ୍ତ କରିବାକୁ ଦାବି କରିଛନ୍ତି ପବିତ୍ରଙ୍କ ପତ୍ନୀ ଏବଂ ଭାଇ। ତେବେ ଏ ସମ୍ପର୍କରେ କେ. ଗାଁ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବିଚ୍ ରାସ୍ତାରେ ଜଣେ ଏଏସଆଇଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନ ଠିଆ କରିଛି । ଯାହାର ତଦନ୍ତ ପୋଲିସ ପାଇଁ ଚ୍ୟାଲେଞ୍ଜ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748789780.jpg)