'ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନ ନୁହେଁ, ସମୟ ଲାଗିବ; କେବେ ଖୋଲିବ ଶୀଘ୍ର ଜଣାଇବୁ'

ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Ratna Bhandar

ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତକାଲି ସ୍ନାନଯାତ୍ରାରେ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ ପରେ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନର କାମ ନୁହେଁ । ଗତଥର ୭୦ ଦିନ ଲାଗିଥିଲା, ଏଥର ବି ଲମ୍ବା ସମୟ ଲାଗିବ ।

ତେବେ ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି ଏବଂ କେବେ ଖୋଲିବ ସେହି ତାରିଖ ଶୀଘ୍ର ଜଣାଇବୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ ଗୋଟିଏ ପଟେ ରତ୍ନଭଣ୍ଡାର ଭିତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବାରମ୍ବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା କହି ଆସୁଥିବାବେଳେ ଏହାର ସଂରକ୍ଷଣକୁ ବି ଗୁରୁତ୍ୱ ଦେଉଛି ।

ତେବେ ଯଦି ରତ୍ନଭଣ୍ଡାର ଖୋଲାଯାଏ ତାହାଲେ ଖାଲି ମରାମତି ହେବ ନା ଦୁର୍ମୂଲ୍ୟ ଅଳଙ୍କାର ସବୁର ଗଣତି ଓ ମଣତି ବି ହେବ ? ସେନେଇ କିଛି ସ୍ପଷ୍ଟତା ଆସୁନଥିବାରୁ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ସମସ୍ତେ ସନ୍ଦିହାନ । ତେଣେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଛତିଶା ନିଯୋଗର ମଧ୍ୟ ପରାମର୍ଶ ନିଆଯିବା ଜରୁରୀ ।

ହେଲେ ଅଦ୍ୟାବଧି ଛତିଶା ନିଯୋଗରେ ଏ ପ୍ରସଙ୍ଗରେ ପଦୁଟିଏ ବି ଆଲୋଚନା ହୋଇନାହିଁ ବୋଲି ସଫା ସଫା କହିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି । ତାସହ ସେ କହିଛନ୍ତି- ଛତିଶା ନିଯୋଗରେ ଆଲୋଚନା ପରେ ଯାଇ ହିଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ, ତାପରେ ଭଣ୍ଡାର ଘର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।

ଏପଟେ ରତ୍ନଭଣ୍ଡାର ମରାମତି ପୂର୍ବରୁ ତା ଭିତରେ ଥିବା ଅଳଙ୍କାର ଭର୍ତ୍ତି ସିନ୍ଦୁକ ସବୁକୁ ଆଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଯିବା ଦରକାର ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି- ବିନା ଅଳଙ୍କାର ଗଣତିରେ ସିନ୍ଦୁକ ସ୍ଥାନାନ୍ତର ଅସମ୍ଭବ । ଏଥିଲାଗି ବି ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ ।

ସେମିତି ଗତବର୍ଷ ରଥଯାତ୍ରା ସମୟରେ ଓଟିଭିକୁ ସାକ୍ଷାତକାରରେ ନିଜେ ଗଜପତି ମହାରାଜା ମଧ୍ୟ- କହିଥିଲେ ଆଗେ ରତ୍ନଭଣ୍ଡାର ଅଳଙ୍କାର ଗଣାଯାଇ ତାଲିକା ହେବା ପରେ ମରାମତି କରାଯିବା ଦରକାର । ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ଗତ କିଛିଦିନ ତଳେ ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟଙ୍କ ପକ୍ଷରୁ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦିଆଯିବା ଓ ପରେ ତାକୁ ବିଭ୍ରାନ୍ତିକର ବୋଲି ଆଇନମନ୍ତ୍ରୀ ଦର୍ଶାଇବା ନେଇ ତେଜିଛି ରାଜନୀତି ।

ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି । ଆଇନମନ୍ତ୍ରୀ ଗତକାଲି କହିଥିଲେ- ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇ ରାଜ୍ୟ ସରକାର ପ୍ରକ୍ରିୟା ଚଳାଇଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ଯାଇ ଏସମ୍ପର୍କରେ ସ୍ପଷ୍ଟତା ଆସିବ । ୧୯୭୮ ମସିହା ପରଠୁ ଆଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇନି । ଯାହାକୁ ନେଇ ଢେର ତୁମ୍ବିତୋଫାନ୍ ଚାଲିଛି ।

ଏମିତିକି ବିଜେଡି ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟି ମଧ୍ୟ ଗଢ଼ାଯାଇଛି । ଯାହାର ଦୁଇ ଥର ବୈଠକ ବି ସରିଛି । ୟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାରକୁ ନିର୍ବାଚନୀ ଏଜେଣ୍ଡାରେ ରଖି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ, କେତେ ଶୀଘ୍ର ଖୋଲୁଛି ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାର, ଏବେ ତାକୁ ଅପେକ୍ଷା ।