ଚାଲିବନି ମିଲରଙ୍କ ମନମାନି; ବନ୍ଦ ହେବ କଟନୀଛଟନୀ, ମଣ୍ଡି ଜଗିବେ ମନ୍ତ୍ରୀ

ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ । ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

Paddy Cultivation

ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ । ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନ ସଂଗ୍ରହ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଧାନକିଣା ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ ।

କଟନୀଛଟନୀ ବନ୍ଦ କରିବାକୁ ଧାନର ମାନ ଥରେ ମାତ୍ର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି । ସେହିପରି ଟୋକନ୍ ସମୟ ସୀମା ଜିଲ୍ଲାପାଳମାନେ ଚାହିଁଲେ ବଢ଼ାଇ ପାରିବେ । ରହିବନି କଟନୀଛଟନୀ । ବନ୍ଦ ହେବ ମିଲରଙ୍କ ମନମାନୀ । ମଣ୍ଡି ଜଗିବେ ମନ୍ତ୍ରୀ । ଧାନ ସଂଗ୍ରହ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ।

ମଣ୍ଡିରେ କେବଳ ଥରେ ହିଁ ଯାଞ୍ଚ ହେବ ଧାନର ମାନ । ସେହି ମାନ ଅନୁସାରେ ଧାନ କିଣିବେ ମିଲର । ସବୁଠୁ ବଡ଼ ନିଷ୍ପତ୍ତି ହେଲା, ଧାନ ବିକ୍ରି ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାରେ ଚେକିଂ କଡାକଡି ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଚାଷୀ ଧାନ କ୍ୱିଣ୍ଟାଲ ବାବଦକୁ ୩୧୦୦ ଟଙ୍କା ପାଇବେ ।

ସେ ଦୃଷ୍ଟିରୁ ବାହାର ଚାଷୀ ଓଡ଼ିଶାରେ ଧାନ ବିକିବା ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଠୁ ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ପ୍ରସ୍ତାବ ।

ଅନ୍ୟପକ୍ଷରେ ବର୍ଷା ଦାଉରୁ ବଂଚିବାକୁ ମଣ୍ଡିଗୁଡିକରେ ନିର୍ମାଣ ହେବ ଗୋଦାମ । ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର । ପୁଣି ମଣ୍ଡି ଜଗିବାକୁ ଧାନ କିଣା ବେଳେ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ । ଦୀର୍ଘଦିନର ଦାବି ପରେ ପ୍ରଥମ ଥର ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ନେଇ ବେଶ୍ ଉତ୍ସାହିତ ଚାଷୀ ।

କଟନୀଛଟନୀ ବନ୍ଦ ସହ ମିଲରଙ୍କ ଶୋଷଣ ରୋକିବାକୁ ନୂଆ ସରକାର ନେଇଥିବା ପଦକ୍ଷେପକୁ ପ୍ରଂଶସା କରିଛନ୍ତି । କିନ୍ତୁ ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି । ଗତ ବର୍ଷ ୫୮ ଲକ୍ଷ ଟନ୍ ଧାନ କିଣା ହୋଇଥିଲା ବେଳେ ଏଥର ୮୦ ଲକ୍ଷ ଟନ୍ ଧାନ କିଣିବେ ରାଜ୍ୟ ସରକାର ।

ବିରୋଧୀ ଦଳରେ ଥିବା ବେଳେ ବିଜେପି ମଣ୍ଡି ସମସ୍ୟା, କଟନୀଛଟନୀ, ମିଲର ଶୋଷଣକୁ ପ୍ରମୁଖ ମୁଦ୍ଦା କରିଥିଲା । ଏବେ ସରକାରକୁ ଆସିବା ପରେ ଏହି ସମସ୍ୟାର କେତେ ସମାଧାନ କରିପାରୁଛି ତା ଉପରେ ନଜର ।