ବାତ୍ୟା ସମୟରେ ଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ

ବାତ୍ୟା ପରେ ରାଜ୍ୟରେ ବନ୍ୟାସ୍ଥତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ହୋଇନି ।

୪ ସରକାରୀ ବାବୁ ନିଲମ୍ୱିତ

ବାତ୍ୟା ପରେ ରାଜ୍ୟରେ ବନ୍ୟାସ୍ଥତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ହୋଇନି । ତେବେ କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଥିବା ସେ ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି । ସରକାର ପୁରା ସ୍ଥିତି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ସେପଟେ ବାତ୍ୟା ଦାନା ଯିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ଲୋକଙ୍କ ଘରକୁ ବିଜୁଳି ସଂଯୋଗ ସରିଲାଣି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲି ବର୍ଷା ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ଆଜି ସକାଳୁ ଆରମ୍ଭ ହୋଇଛି ।

ତେବେ ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବାତ୍ୟାରେ ଘର ସମ୍ପୂର୍ଣ୍ଣ ହରାଇଥିବା ପରିବାର ଆଶ୍ରୟସ୍ଥଳୀରେ ରହିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଘରର ବିକଳ୍ପ ହେବା ଯାଏଁ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା ରହିବ । ୭ ଦିନ ମଧ୍ୟରେ ସବୁ କିଛି ସ୍ୱାଭାବିକ ହେବା ନେଇ ଆଶା ଥିବା ସେ କହିଛନ୍ତି ।

ବାତ୍ୟା କ୍ଷୟକ୍ଷତି ସଂପର୍କରେ ମନ୍ତ୍ରୀ କହିଛନ୍ତି, ୭ ଦିନ ମଧ୍ୟରେ କେନ୍ଦ୍ରକୁ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ । ଖୁବ୍ ଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ନେଇ ଆସିବେ କେନ୍ଦ୍ରୀୟ ଟିମ୍ । ତେବେ କେନ୍ଦ୍ର ସହାୟତା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ସେ କହିଛନ୍ତି । ସେହିପରି ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ ବାବୁ ନିଲମ୍ବିତ ହୋଇଛନ୍ତି ।

୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ରହିଥିଲା । ତେବେ ବିପର୍ଯ୍ୟୟ ସମୟରେ ସେବାରେ ଖିଲାପକାରୀଙ୍କୁ ଛଡ଼ାଯିବନି ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି ।

ସେହିପରି ଉନ୍ନତ ସେବା ଯୋଗାଇଥିବା ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୁରେଶ କହିଛନ୍ତି । ସେହିପରି ବାତ୍ୟା ଦାନା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଭଦ୍ରକ ଧାମନଗର ବ୍ଲକ ଜୟନଗରରେ ପ୍ରବଳ ବର୍ଷା ଯୋଗୁ ଘରେ ପଶିଯାଇଥିଲା ପାଣି ।

ଫଳରେ ତିନ ଜଣ ଲୋକ ଘର ଭିତରେ ଫସି ଯାଇଥିଲେ । ଏନେଇ ଖବର ମିଳିବା ପରେ ବିଳମ୍ବିତ ରାତିରେ ଏହି ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ରାତି ୧୨ଟା ୪୫ରେ ଏହି ରେସ୍କ୍ୟୁ ଅପରେସନ କରିଥିଲା ଫାୟାର ଟିମ୍ । ନିଜ ଜୀବନକୁ ବାଜି ଲଗାଇ ଅଗ୍ନିଶମ ଯୋଦ୍ଧା ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିଥିଲେ । ତେବେ ବାତ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ମୁକାବିଲା ପାଇଁ ୧୧୨ରେ ଫୋନ କରି ସହାୟତା ନେବାକୁ କହିଛି ଅଗ୍ନିଶମ ବିଭାଗ ।