ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ୍ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ସଭା ଡାକି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠୁ ମତାମତ ଲୋଡ଼ିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବ ସରକାରର କାମଚଳା ବଜେଟରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ଥିଲା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ତେଣୁ ସେ ଦୃଷ୍ଟିରୁ କେଉଁ କ୍ଷେତ୍ରରୁ ପାଣ୍ଠି ଆସିବ, ପୂର୍ଣ୍ଣାଙ୍ଗ ବଜେଟର ଆକାର କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
Also Read
ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି । ନୂଆ ତରିକା, ନୂଆ ଅନ୍ଦାଜ୍ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସବୁ ଅଂଶୀଦାରଙ୍କଠୁ ମତାମତ ଶୁଣିଲେ, ନୋଟ୍ ମଧ୍ୟ କଲେ । BJP ସରକାରର ପ୍ରଥମ ବଜେଟ୍ ପାଇଁ ଲୋକସେବା ଭବନରେ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ଯେଉଁଥିରେ ଯୋଗ ଦେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦଙ୍କ ସମେତ ମୋଟ ୧୫୦ରୁ ଅଧିକ ଅଂଶୀଦାର ।
ଏହି ବୈଠକର ଫୋକସରେ ଥିଲା ନିର୍ବାଚନୀ ପ୍ରତିଶ୍ରୁତି । ଏଥିପାଇଁ ନୂଆ ଯୋଜନା ଆଣିଲେ, ସରକାରଙ୍କୁ କେତେ ବୋଝ ସହିବାକୁ ପଡ଼ିବ ? ଏଥିପାଇଁ କେଉଁଠୁ ଅର୍ଥ ଆସିବ ? ସେନେଇ ବି ବିଶେଷଜ୍ଞଙ୍କ ମତାମତ ନିଆଯାଇଛି । ପ୍ରାକ୍ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆସନ୍ତା ୨୫ରେ ବିଧାନସଭାରେ ଆଗତ ହେବାକୁ ଥିବା BJP ସରକାରର ପ୍ରଥମ ବଜେଟ୍ ଯେପରି ବାସ୍ତବରେ ଲୋକଙ୍କ ବଜେଟ୍ ହେବ, ଲୋକଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ବୈଠକରେ ଆଲୋଚନା ହୋଇଛି ।
ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି । ଅନେକ ନିର୍ବାଚନୀ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ନୂଆ ସରକାର । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଧାନ MSP ୩୧ ଶହ ଟଙ୍କାକୁ ବୃଦ୍ଧି ଆଉ ସବୁଠୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କଷ୍ଟାର୍ଜିତ ଜମା ଟଙ୍କା ଫେରାଇବା । ଏହି ୩ ଲୋକାଭିମୁଖୀ ଯୋଜନା ପ୍ରଚଳନ ବିଜେପି ସରକାର ପାଇଁ ଚାଲେଞ୍ଜ ହୋଇପାରେ ।
କାରଣ ବିଶେଷଜ୍ଞଙ୍କ ମତ, ପୂର୍ବର ନବୀନ ସରକାର ନିଜର ଅନ୍ତିମ କାମଚଳା ବଜେଟରେ ପୂରା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଯେଉଁ ବ୍ୟୟ ବରାଦ କରିଥିଲେ, ଏସବୁ ନୂଆ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୬୬ ହଜାର କୋଟି ଟଙ୍କା ଅଧିକ ଦରକାର ହେବ । ଯଦିଓ ଓଡ଼ିଶା ଏବେ ବି ରାଜସ୍ବ ବଳକା ରାଜ୍ୟ, ରାଜ୍ୟର ଋଣ ଭାର ବି ଦେଶରେ ସବୁଠୁ କମ୍, ତେବେ ନୂଆ ଯୋଜନା କାର୍ଯ୍ୟକାରୀ ଲାଗି ଆବଶ୍ୟକ ମୋଟା ପାଣ୍ଠିର ଯୋଗାଡ଼ କରିବା ସହ ସେସବୁର ସୁବିନିଯୋଗ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ତେବେ ବଜେଟ୍ ପାଇଁ ନୂଆ ସରକାର Online ଓ WhatsApp ଜରିଆରେ ଲୋଡ଼ିଥିବା ମତାମତ ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି ଜନ ସାଧାରଣ । ପ୍ରାୟ ୧୨ ହଜାରରୁ ଅଧିକ ଲୋକ ଅନଲାଇନ୍ ଜରିଆରେ ମତାମତ ଦେଇଛନ୍ତି, ଯାହାକି ପୂର୍ବ ଥର ତୁଳନାରେ ୬ ଗୁଣ ଅଧିକ । ଏଣୁ ମୋହନ ସରକାରର ପ୍ରଥମ ବଜେଟ୍ରୁ ସାଧାରଣ ଲୋକଙ୍କ ଆଶା ଢେର ଅଧିକ ଥିବା ସ୍ପଷ୍ଟ ହେଉଛି ।