‘ଆସିବ ମଦନୀତି ସଂସ୍କାର, ବର୍ଷକ ଭିତରେ ଚୋରା ମଦ କାରବାର ବନ୍ଦ’

ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।

Dance Bar

ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା । ବର୍ଷକ ଭିତରେ ପୁରା ବନ୍ଦ ହେବ ବେଆଇନ ମଦ ଚୋରା କାରବାର । ଖାଲି ସେତିକି ନୁହେଁ ନୂଆ ମଦନୀତି ସଂସ୍କାର ଆଣିବେ ସରକାର । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ରହିବନି ମଦ ଦୋକାନ । ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।

ରାତିର ଚିକମିକ୍ ଆଲୁଅ ସହ ସୁନ୍ଦରୀଙ୍କ ଠୁମକା, ତା ସାଙ୍ଗକୁ ମଦର ଆସର । ରାଜ୍ୟରେ ଆଉ ଦେଖିବା ପାଇଁ ପାଇବେ ନାହିଁ ଏଭଳି ଦୃଶ୍ୟ । କାରଣ ବନ୍ଦ ହୋଇଯିବ ରାଜ୍ୟରେ ଥିବା ସମସ୍ତ ଡ୍ୟାନ୍ସ ବାର । ଅଶ୍ଳୀଳତା ଉପରେ ଲାଗିବ ରୋକ୍ । ଏଣିକି କୌଣସି ବାରରେ ଆଉ କାମ କରିବେ ନାହିଁ ମହିଳା । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ଏଭଳି କିଛି ନିୟମ ଆସିବା ପାଇଁ ଯାଉଛି ।

ଯେଉଁ ନିୟମ ଅନୁସାରେ ରାଜ୍ୟରେ ଚାଲିଥିବା ସମସ୍ତ ଡ୍ୟାନ୍ସ ବାରକୁ ବନ୍ଦ କରିବା ପାଇଁ ସରକାର ନେଇଛନ୍ତି ନିଷ୍ପତ୍ତି । ସେହିଭଳି ବନ୍ଦ ହେବ ଚୋରା ମଦ ନେଟୱାର୍କ । ମଦ ବିକ୍ରି ଓ କାରବାରରେ ସଂସ୍କାର ପାଇଁ ମୋହନ ସରକାରଙ୍କ ବଡ ରୋଡମ୍ୟାପ ସ୍ୱରୂପ ସ୍କୁଲ କଲେଜ ପାଖରୁ ହଟିବ ମଦ ଦୋକାନ । ମନ୍ଦିର ପାଖରେ ବି ରହିବନି ଲିକର ସପ ।

ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ପାଖରୁ ନିର୍ଦ୍ଦିଷ୍ଟ ଦୂରତାରେ ରହିବ ମଦ ଦୋକାନ । ବର୍ଷକ ଭିତରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ । ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ପ୍ରସ୍ତୁତ ହେବା ନେଇ ଆଜି ଗୃହରେ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡୋଜର ଲଗାଇ ଭଙ୍ଗାଯିବ ।

ଯେଉଁମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନେ କ୍ରିମିନାଲ । ତେଣୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଅନ୍ୟପଟେ ଗୃହରେ ଚିକିଟି ମଦ ମୃତ୍ୟୁ ଘଟଣାକୁ ଗୁରୁତର ସହ ସରକାର ନେଇଥିବା ମୁଲତବି ଆଲୋଚନା ବେଳେ କହିଛନ୍ତି ମନ୍ତ୍ରୀ । ଏହି ଘଟଣାରେ ମିଳିତ ଅବକାରୀ ଚଢ଼ାଉ ପରେ ୨୦ ଲିଟର ମଦ ଜବତ ହେବା ସହ ୬ ଗିରଫ ହୋଇଛନ୍ତି । ଏହା ସହ ଦୁଇ ଜଣ ଅଟକ ମଧ୍ୟ ରହିଛନ୍ତି ।

ଜବତ ହୋଇଥିବା ମଦ ସାମ୍ପୁଲ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭିସେରା ରିପୋର୍ଟ ଫରେନସିକ ଲ୍ୟାବ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗଞ୍ଜାମ ଘଟଣା ପରେ ରାଜ୍ୟ ସାରା ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ପେଶାଲ ରେଡରେ ୩୭୬ଟି ବେଆଇନ ମଦ ମାମଲା ରୁଜ୍ଜୁ କରି ୨୬୭ ଜଣ ଗିରଫ ହୋଇଛନ୍ତି ।

ଏହାସହ ବେଆଇନ୍ ମଦ କାରାବର ପଛରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୃଷ୍ଟପୋଷକତା ରହିଛି ବୋଲି ମନ୍ତ୍ରୀ କହିବା ପରେ ତାକୁ ନେଇ ତେଜିଛି ରାଜନୀତି । ଏବେ ଦେଖିବାର କଥା ନୂଆ ସରକାରଙ୍କ ନୂଆ ନୀତି କେତେଦୂର ମଦ ଚୋରା କାରବାର ରୋକିବାରେ ସଫଳ ହେଉଛି ।