Advertisment

ଭାରତ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଯୋଗୁଁ ଜନତାଙ୍କ ଯନ୍ତ୍ରଣା

ଭାରତ ବନ୍ଦ- ଷ୍ଟିୟରିଂ ଛାଡ଼ ଯୋଗୁଁ ଜନତାଙ୍କ ଯନ୍ତ୍ରଣା। କଲବଲ କଲା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ଧର୍ମଘଟରୁ ଓହରୁନି ଡ୍ରାଇଭର ଆସୋସିଏସନ। କାଲିଠୁ ଉପୁଜିପାରେ ତେଲ ସଙ୍କଟ-ପେଟ୍ରୋଲ୍ ପମ୍ପ ସଂଘ

Driver Associations Protest

Driver Associations Protest

Advertisment

ଗୋଟିଏ ପଟେ ଡ୍ରାଇଭର୍ ସଂଘର ଷ୍ଟିୟରିଂ ଛାଡ଼। ଆରପଟେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଭାରତ ବନ୍ଦ। ଡବଲ୍ ଆନ୍ଦୋଳନ, ଡବଲ୍ ଯନ୍ତ୍ରଣା। ଯାତ୍ରୀ ହେଉ କି ଖଣି ପରିବହନ, ତେଲ ଟାଙ୍କି ହେଉ କି କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ, ସବୁଠି ପ୍ରଭାବ ପଡିଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ସହ ୭ ଦଫା ଦାବି ଛିଡୁନଥିବାରୁ ଏବେ ବି ଜିଦରେ ଅଟଳ ଡ୍ରାଇଭର ସଂଘ। ଏଭଳି ପରିସ୍ଥିତିରେ ପେଟ୍ରୋଲ ପମ୍ପ ମହାସଂଘର ଆଶଙ୍କା, ଆସନ୍ତାକାଲି ବି ଯଦି ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିବେ, ତାହେଲେ ରାଜ୍ୟରେ ତେଲ ସଙ୍କଟ ଉପୁଜିପାରେ।

Advertisment

ଟାୟାର ଜାଳିଲେ...ପିକେଟିଂ ସହ ରାସ୍ତାରୋକ୍ କଲେ...ନାରାବାଜି ସହ କେନ୍ଦ୍ରୀୟ ପ୍ରତିଷ୍ଠାନ ଆଗରେ ଗର୍ଜିଲେ...। ସକାଳ ୬ରୁ ସଂଧ୍ୟା ୬। ୧୭ ଦଫା ଦାବି ଉଠାଇ ବନ୍ଦ ପାଳନ କଲେ ଶ୍ରମିକ ସଂଗଠନ। ଓଡ଼ିଶାରେ ବି ୧୨ ଘଣ୍ଟା ଧରି ଭାରତ ବନ୍ଦ ପାଳିଲେ ଟ୍ରେଡ୍ ୟୁନିୟନ ସଦସ୍ୟ। ଆନ୍ଦୋଳନରେ କେଉଁଠି ଆଶାକର୍ମୀ ତ ଆଉ କେଉଁଠି ସାମିଲ ହୋଇଥିଲେ ଶ୍ରମିକ। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଡାକରାରେ ହୋଇଥିବା ଭାରତ ବନ୍ଦ ଯୋଗୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ବନ୍ଦ ରହିଥିଲା ପେଟ୍ରୋଲ ପମ୍ପ, ଦୋକାନ ବଜାର, ବ୍ୟାଙ୍କ, ବୀମା, ଡାକ ଏବଂ ରେଲୱେ ଅଫିସ ଭଳି ବିଭିନ୍ନ ପ୍ରତିଷ୍ଠାନ। ରାଜଧାନୀ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା। ସବୁଠି ଦେଖିବାକୁ ମିଳିଥିଲା ଆନ୍ଦୋଳନ। ହେଲେ ଶ୍ରମିକ ସଂଗଠନର ଏହି ହରତାଲର ସେତେଟା ପ୍ରଭାବ ନଥିଲା। ବରଂ ଗତକାଲିଠୁ ଜାରି ରହିଥିବା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଭାରତ ବନ୍ଦକୁ ବଳ ଦେଇଥିଲା। ଗନ୍ତବ୍ୟ ସ୍ଥଳକୁ ଯାଇନପାରି ହଇରାଣ ହେଇଛନ୍ତି ସାଧାରଣ ଯାତ୍ରୀ।

ଏପଟେ ପେଟ୍ରୋଲ ପମ୍ପରେ ପିକେଟିଂ ଯୋଗୁଁ ଭୁବନେଶ୍ବର ସମେତ କିଛି ସ୍ଥାନରେ ବନ୍ଦ ରହିଥିଲା ପମ୍ପ। ପେଟ୍ରୋଲ ପମ୍ପ ମହାସଂଘ ସଭାପତିଙ୍କ କହିବା କଥା, ଯେତିକି ତେଲ ମହଜୁଦ ଥିଲା ତାହା ଆଜି ଯାଏଁ ଚଳିବ। ଆସନ୍ତାକାଲି ବି ଯଦି ଡ୍ରାଇଭରଙ୍କ ଧର୍ମଘଟ ଜାରି ରୁହେ ତେବେ ତୈଳ ସଙ୍କଟ ଦେଖାଦେବ।

Advertisment

ଶ୍ରମ ନୀତିରେ ପରିବର୍ତ୍ତନ, ୪ଟି ନୂଆ ଶ୍ରମ କୋଡ୍, ବେକାରୀ ଏବଂ ମୁଦ୍ରାସ୍ଫୀତିରେ ସୁଧାର, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧା, ଅବସରପ୍ରାପ୍ତ କର୍ମଚାରୀ ଅପେକ୍ଷା ଯୁବକଙ୍କୁ ଚାକିରି, ମନରେଗା ମଜୁରୀ ବୃଦ୍ଧି ଭଳି ପ୍ରମୁଖ ଦାବି ନେଇ ଆଜି ସକାଳ ୬ରୁ ସଂଧ୍ୟା ୬ଯାଏଁ ‘ଭାରତ ବନ୍ଦ’ ଆନ୍ଦୋଳନ କରିଥିଲା ଶ୍ରମିକ ସଂଗଠନ। ସେପଟେ ଗତକାଲିଠୁ ୭ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ସଂଘ। ଗତକାଲି ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ଫିଟିନଥିଲା। ଫଳରେ ଆଜି ଆନ୍ଦୋଳନକୁ ସଂଘ ବ୍ୟାପକ କରିଛି। ବରଗଡ଼ରରେ ରାଜପଥ ଉପରେ ଘରୋଇ ଯାନବାହନ ଗୁଡ଼ିକୁ ଅଟକାଇଛନ୍ତି ଆନ୍ଦୋଳନରତ ଡ୍ରାଇଭର। ଏପଟେ କଟକ ନେତାଜୀ ବସଷ୍ଟାଣ୍ଡରେ ବି ଖାଁ ଖାଁ ଚିତ୍ର। ଶୂନଶାନ୍ ବସଷ୍ଟାଣ୍ଡ। କେବଳ ସରକାରୀ ଓ ଆମ ବସକୁ ଛାଡ଼ିଦେଲେ ଗଡୁନଥିଲା ଘରୋଇ ବସ୍।

ଆଜି ପାଇଁ ‘ଭାରତ ବନ୍ଦ’ ଆନ୍ଦୋଳନ ସିନା ସରିଲା, ହେଲେ ନିଜ ଦାବି ପୂରଣ ଜିଦରେ ଅଡ଼ିବସିଥିବା ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ କେବେ ପ୍ରତ୍ୟାହାର ହେଉଛି, ତାକୁ ଅପେକ୍ଷା।

Advertisment
Bharat Bandh Protests Driver Association
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ