ଆସନ୍ତାକାଲି ଭୁବନେଶ୍ୱରରେ ହାପ୍ ଡେ' ଅଫିସ୍ । ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ମଧ୍ୟ ଛୁଟି ରହିବ । ସହରରେ ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ଏହି ନିଷ୍ପତ୍ତି ନିଆଯାଇଛି ।
ଏହାପୂର୍ବରୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଓ କଟକରେ ସମସ୍ତ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଥିଲା ।
Also Read
ଅଧିକ ପଢ଼ନ୍ତୁ: ଜୁନ୍ ୨୦ରେ ଭୁବନେଶ୍ବରରେ ରୋଡ୍ ଶୋ’ କରିବେ PM ମୋଦି
ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତ ଅବସରରେ ଭୁବନେଶ୍ବରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଭଳି ରହିଛି ବ୍ୟବସ୍ଥା, ତଦାରଖ ପାଇଁ ନିଜେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।.
ଆସନ୍ତାକାଲି ଓଡ଼ିଆରେ ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ବିଶାଳ ରୋଡ୍ ସୋ' କରିବେ । ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ । ପ୍ରଧାନମନ୍ତ୍ରୀଙ୍କ ବୟୋବନ୍ଦନା କାର୍ଡ ଏବଂ ଅନ୍ତ୍ୟୋଦୟ ଘର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ମନମୋହନ କହିଛନ୍ତି ।