ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Odisha CM

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୮ରୁ ୨୦ ତାରିଖ ସିଙ୍ଗାପୁର ଗସ୍ତରେ ଯିବେ । ଉତ୍କର୍ଷ ଓଡ଼ିଶା, ମେକଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ହେବ ରୋଡ୍ ସୋରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ରୋଡ୍ ସୋରେ ଯୋଗଦେବା ସହ ନିବେଶକଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଗସ୍ତରେ ଯିବେ । ସେପଟେ ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଦିଲ୍ଲୀ ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏତିକି ବେଳେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଇଛନ୍ତି । ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ପରେ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିବା ସହ ବଲାଙ୍ଗିର ବିକଶିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ମହାନଦୀ ଜଳ ବିବାଦକୁ ନେଇ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଥର ଆଲୋଚନା କରାଯାଇଛି । ନୂଆ ସରକାର ହେବା ପରେ ଏହି ପ୍ରସଙ୍ଗକୁ ଅତି ଗୁରୁତ୍ୱ ଦିଆଯାଇଛି । ବିବାଦ ସମାଧାନ ପାଇଁ ଆଲୋଚନା ଚାଲିଛି । ଖୁବଶୀଘ୍ର ଏନେଇ ସବିଶେଷ ସୂଚନା ଦିଆଯିବ । ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାକୁ ଯେତେ ଗୁରୁତ୍ୱ ଦିଆଯିବା କଥା ଦିଆଯାଇନି । ବିଜେପି ସରକାର ଆସିବା ପରେ ଅନେକ ଯୋଜନା ହାତକୁ ନେଉଛନ୍ତି । ଗତକାଲି ଜଳସେଚନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ସେତୁ ନିର୍ମାଣ ଓ ସଡକ ନିର୍ମାଣ ଭଳି ୮୯୦ କୋଟି ମୂଲ୍ୟର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଖୁବଶୀଘ୍ର ବିକାଶର ଧାରା ତ୍ୱରାନ୍ୱିତ ହେବ ।

ଲୋଇସିଂହା, ଟିଟିଲାଗଡ଼, ପାଟଣାଗଡ଼କୁ ବିଶେଷ ଧ୍ୟାନ ଦିଆଯିବ । ଖୁବଶୀଘ୍ର ବେଲପଡାରେ ଅପର୍ ଲାବ୍ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ସରିବ । ଏଥିପାଇଁ ୩୦୦କୋଟି ଟଙ୍କା ପ୍ରଦାନ କରାଯାଇଛି । ବେଲପଡା ବ୍ଲକରେ ଥିବା ୨୫ଟି ଗାଁର ୩୮ହଜାରରୁ ଅଧିକ ଚାଷୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ।

୨୪୯୫ ମିଟର ଲମ୍ୱା ଡ୍ୟାମରେ ୨୦ କିଲୋୱାଟ୍ ବିଜୁଳି ଉତ୍ପାଦନ କ୍ଷମ ଜଳବିଦ୍ୟୁତ ଶକ୍ତି ୟୁନିଟ ସ୍ଥାପନ ପାଇଁ ଯୋଜନା ରହିଛି । ନୂଆ ସରକାର ଆସିବା ପରେ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି । ଧାନର ଏମଏସପି ବୃଦ୍ଧି କରାଯାଇ ୩୧୦୦ଟଙ୍କା କରାଯାଇଛି । ଏଥିସହ ପିଏମ କିଷାନ ଓ ସିଏମ କିଷାନ ମାଧ୍ୟମରେ ଚାଷୀଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରାଯିବ ।

ପାଟଣାଗଡ଼ ଓ ବେଲପଡାରେ ପାନୀୟଜଳର ବ୍ୟବସ୍ଥା, ବାଇପାସ କରିବା ପାଇଁ ୧୧୯କୋଟି ଟଙ୍କା ପ୍ରଦାନ କରାଯାଇଛି । ପାଟଣାଗଡ଼ ସବଡିଭିଜିନାଲ୍ ହସ୍ପିଟାଲରେ ୫୦ ବେଡ୍ ବିଶିଷ୍ଟ ଏକ ଅତ୍ୟାଧୁନିକ ହସ୍ପିଟାଲ୍ ଉଦଘାଟନ କରାଯାଇଛି । ଏଥିରେ ଡାୟାଲିସିସ ଓ ସବୁ ପ୍ରକାର ଟେଷ୍ଟା କରିବା ପାଇଁ ବ୍ୟବସ୍ଥା ହେବ ।