୨୫ରେ ଆସିବ ରାଜ୍ୟ ବଜେଟ୍‌, ଆଜି ଲୋକସଭା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା’ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି ।

State Budget

ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା’ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବଜେଟ୍ ସଂପର୍କରେ ଆଲୋଚନା କରାଯାଇଥିଲା ।

ଏହାସହ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ । ପୂର୍ବରୁ ରାଜ୍ୟ ବଜେଟ୍ ପାଇଁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।

ସେପଟେ ଲୋକସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୈଠକ । ଅର୍ଥନୀତି ବିଶାରଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୩ ତାରିଖରେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ବଜେଟରେ କେଉଁ ସେକ୍ଟରକୁ କେତେ ଗୁରୁତ୍ବ ଦିଆଯିବ, କେଉଁ ସେକ୍ଟରକୁ କେତେ ପାଣ୍ଠି ପ୍ରଦାନ କରାଯିବ ତା ଉପରେ ଏହି ବୈଠକରେ ଅର୍ଥନୀତି ବିଶାରଦ ମାନଙ୍କ ମତ ଲୋଡ଼ିଛନ୍ତି ସରକାର । ବିଶାରଦମାନଙ୍କ ମତ ଓ ସରକାରଙ୍କ ନୀତିକୁ ଭିତ୍ତି କରି ମୋଦି ସରକାର ତାଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।