/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711985960.jpg)
Land Dispute
ରାଜ୍ୟରେ ଆଉ ଏକ କୋଟିଆ। ସୀମା ବିବାଦରେ ଛନ୍ଦି ହୋଇଥିବା ଆଉ ଏକ ଗାଁ। ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାର 'ଶଙ୍ଖାମେଦୀ'। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି। କେଉଁଠି ଓଡ଼ିଆରେ ଲେଖାଯାଇଛି, ତ ଆଉ କେଉଁଠି ବଙ୍ଗଳା ଭାଷାରେ। ୨ ରାଜ୍ୟର ସ୍କୁଲ ବି ଅଛି ଏଇ ଗୋଟିଏ ଗାଁରେ। ଓଡ଼ିଶା ଓ ପଶ୍ଚିମବଙ୍ଗ, ଏମାନେ କାହାର ବୋଲି, ନିଜେ ଦ୍ୱନ୍ଦ୍ୱ ଭିତରେ ଖୋଦ୍ ଏଇ ସୀମାନ୍ତବର୍ତ୍ତୀ ଗାଁ ଲୋକେ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ। ୧୫୦ ପରିବାର, ୪୫୦ ଲୋକ, ୩ଶହ ଓଡ଼ିଆ ଭୋଟର। ଅନଳିଆ ପଞ୍ଚାୟତର ୱାର୍ଡ ମେମ୍ବର ବି ଅଛନ୍ତି ଏଠି। ଓଡ଼ିଶା ସରକାରଙ୍କ ଯୋଜନାରେ ଏମାନେ ଚାଉଳ, ବିଜୁଳି, ପାନୀୟ ଜଳ, ପାଇଖାନା ଆଦି ପାଇଛନ୍ତି। ହେଲେ ଆବାସ ମିଳୁନି, ଓଡ଼ିଆ ପଢ଼ି ବି ଓଡ଼ିଶାରେ ଚାକିରି ମିଳୁନି, ସମବାୟ ସମିତିରୁ ଋଣ ମିଳୁନି, ସ୍ଥାୟୀ ବାସିନ୍ଦା କି ଜାତି ପ୍ରମାଣପତ୍ର ବି ମିଳୁନି।
କାରଣ ଏମାନେ ଓଡ଼ିଆ ହୋଇ ବି, ରାଜସ୍ୱ ରେକର୍ଡରେ ପଶ୍ଚିମବଙ୍ଗର। ଅଭିଯୋଗ ଅନୁସାରେ, ୧୯୮୭ ଯାଏଁ ଏଠୁ ଖଜଣା ନେଉଥିଲେ ଓଡ଼ିଶା ସରକାର। ହେଲେ ୧୯୯୦ରେ ନୂଆ ନକ୍ସା ଜାରି କରି ଏହି ଗାଁକୁ କବଜା କରିନେଲା ପଶ୍ଚିମବଙ୍ଗ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାୟ ୯ ଦଶନ୍ଧି ପରେ ବି, ସୀମା ବିବାଦ ପଶାପାଲିରେ ଫସିଥିବା ଓଡ଼ିଆଙ୍କ ଦୁର୍ଦ୍ଦଶା ଅସମାହିତ ରହିଛି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ଉତ୍କଳ ଦିବସରେ ଆଉ ଏକ ବିଡ଼ମ୍ବନାର ଚିତ୍ର ପୁରୀ ସତ୍ୟବାଦୀରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିସ୍ଥଳର। ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ବସଷ୍ଟାଣ୍ଡ୍ ନିକଟରୁ ଓଭରବ୍ରିଜ କଡ଼କୁ ସ୍ଥାନାନ୍ତରିତ ହୋଇଛି। ତେବେ ରକ୍ଷଣାବେକ୍ଷଣ ଓ ବିଦ୍ୟୁତକରଣ ଅଭାବରୁ ଏଠାରେ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସ୍ଥଳୀ ପାଲଟୁଥିବା ଅଭିଯୋଗ ହୋଇଛି। ଏଠାକାର ପାର୍ଶ୍ୱ ପରିବେଶ ବି ଦେଉଛି ଅବହେଳା ଓ ଉଦାସୀନତାର ସ୍ପଷ୍ଟ ପ୍ରମାଣ। ଏସଂପର୍କରେ ସତ୍ୟବାଦୀ ଥାନାଧିକାରୀ ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ, ବିଡିଓ କହିଛନ୍ତି, ଏନେଇ ପୋଲିସକୁ ଅବଗତ କରାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)