• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପ୍ରଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲ ତୋଡ଼ା ଓ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀ ଅଭ୍ୟର୍ଥନା କରିଛନ୍ତି । 

ଏହି ଅବସରରେ ଅମିତ ରୋହିଦାସ ମଧ୍ୟ ସମସ୍ତ ଭାରତୀୟ ହକି ଦଳର ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ଏବଂ ପ୍ୟାରିସରୁ ଆଣିଥିବା ମାସ୍କଟକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଅମିତ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।  

ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ପେନକୁ ହରାଇ ପଦକ ଜିତିଥିଲା ଭାରତ। ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମର ସଫଳତାରେ ଅମିତ ପ୍ରମୁଖ ଭୂମିକା ନିଭାଇଥିଲେ । 

ତେବେ ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ରେଡ୍ କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିଲେ । ଯେଉଁଥିପାଇଁ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ । ଅମିତଙ୍କ ଅନୁପସ୍ଥିତିରେ ଭାରତ ଜର୍ମାନୀ ନିକଟରୁ ସେମିରେ ପରାଜିତ ହେବାପରେ ଫାଇନାଲ ଆଶା ଧୂଳିସାତ୍ ହୋଇଥିଲା । 

ଅଲିମ୍ପିକ୍ସରେ ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏଥିସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now