ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ, ଚାଲୁ ରହିବ ଆନ୍ଦୋଳନ

ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ ।

Nursing Union

ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ । ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନ ଆଗକୁ ଚାଲୁ ରହିବ ବୋଲି କହିଛି ସଂଘ । ସେପଟେ ସରକାର ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ଦାବି କରିଛି ସଂଘ ।

ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ସଂଘ ଆହ୍ୱାନ କରିଛି । ୧୦ ଦଫା ଦାବି ନେଇ ଗତକାଲିଠୁ ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ । ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ନର୍ସିଂ ଅଫିସର । ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ ସେବା କାର୍ଯ୍ୟ କରୁନାହାନ୍ତି ।

ଫଳରେ ରାଜ୍ୟରେ ବିଭିନ୍ନ ମେଡିକାଲରେ ରୋଗୀ ସେବା ବ୍ୟାହତ ହୋଇଛି । ସରକାର ଦୁଇ ଦିନରେ ଦାବି ନ ମାନିଲେ ୨୭ ତାରିଖଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି । ଏପଟେ ସଂଘର ଦାବି ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଗତ ଦୁଇଦିନ ତଳେ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଥିଲା ନର୍ସିଂ ନିର୍ଦ୍ଦେଶାଳୟ ।

ସେପ୍ଟେମ୍ୱର ୨୫ ଓ ୨୬ରେ ସବୁ ସରକାରୀ ହସ୍ପିଟାଲର ଜେନେରାଲ ୱାର୍ଡ, ଅଣ ଏମର୍ଜେନ୍ସି ବିଭାଗରୁ ନର୍ସିଂ ଅଫିସର ପ୍ରତ୍ୟାହାର ସହ ସେପ୍ଟେମ୍ୱର ୨୭ରୁ ସବୁ ନର୍ସିଂ ଅଫିସର କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ।

ସେପଟେ ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାକଚ୍ୟୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ।