Advertisment

Odisha Village: ଓଡ଼ିଶାର ଏହି ଗାଁର କୌଣସି ଘରେ ନାହିଁ କବାଟ, ଚୋର ଆସିବାକୁ ଡ଼ରିଥାନ୍ତି

ଓଡିଶାର ଏକ ଗାଁ ଅଛି। ଯେଉଁଠାରେ ପ୍ରତ୍ୟେକ ଘରେ କବାଟ ନାହିଁ, କି ସେଠାରେ ଚୋରି ବି ହୁଏ ନାହିଁ।

Kendrapada-No-Door-Village

Kendrapada-No-Door-Village

Advertisment

ଏ ଗାଁରେ ପଶିବାକୁ ଭୟ କରନ୍ତି ଚୋର ଓ ଡକାୟତ। ଚୋରି କରିବା କଥା ଭାବିବା ପୂର୍ବରୁ ଥର ଥର ହୋଇ କମ୍ପିଥାଏ ଗୋଡ଼। ଏହି ଗାଁରେ କାହା ଘରେ ନାଁ ଅଛି କବାଟ ନାଁ ଦୁଆର ବନ୍ଧ। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ ନିଶ୍ଚିତ। ଏଠି ଗ୍ରାମବାସୀଙ୍କୁ ଚୋର, ତସ୍କର ଭୟ ନାହିଁ। କାରଣ ତାଙ୍କର ଅଗାଢ଼ ବିଶ୍ୱାସ ଅଛି ଗାଁ ଠାକୁରାଣୀ ମା ଖରାଖାଇଙ୍କ ଉପରେ। ସମସ୍ତଙ୍କ ଭରଷା ସଭିଙ୍କ ଘର ଜଗିଛନ୍ତି ମାଆ। ସେଇଥିପାଇଁ ଏ ଗାଁରେ ଆପଣ କୌଣସି ବି ଘରେ କବାଟ କି ତାଲାଟିଏ ଦେଖିବାକୁ ପାଇବେ ନାହିଁ।

Advertisment

ଏହି ବିରଳ ଗାଁ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡ଼ିଆ ପଞ୍ଚାୟତର ଶିଆଳିଆ। ଏହା କବାଟ ନଥିବା ଗାଁ ନାଁରେ ମଧ୍ୟ ଖୁବ ପରିଚିତ। ଗାଁରେ ପ୍ରାୟ ୬୫ରୁ ୭୦ ପରିବାରରେ ୩ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତିl ଆଜିଯାଏଁ କୌଣସି ବି ଘରୁ ଚୋରି ହୋଇନାହିଁ। ଗାଁରେ ଚାଳ ଛପର ଘର ଏବଂ ଛାତ ଘର ମଧ୍ୟ ରହିଛି। କେବଳ ବୁଲା ଗାଈଗୋରୁଙ୍କ କବଳରୁ ରକ୍ଷା ପାଇଁ ଗ୍ରାମବାସୀ ତାଟି ଓ ଗ୍ରୀଲ ଲଗାଇଛନ୍ତିl କିନ୍ତୁ ଭିତର କୌଣସି ଘରେ କବାଟ ନାହିଁ। କାରଣ ଗାଁକୁ ଆରାଧ୍ୟ ଠାକୁରାଣୀ ମା' ଖରାଖାଇ ଢ଼ାଲ ହୋଇ ରକ୍ଷା କରୁଛନ୍ତି।

ଏକ ବିରାଟ ବଟବୃକ୍ଷ ଓ ଶିଆଳି ଲତାର ସବୁଜ ଚାଦର ତଳେ ମା'ଙ୍କ ଆସ୍ଥାନ। ସେ ଖରା ହେଉ କି ବର୍ଷା କି ଶୀତ ସବୁ ସମୟରେ ମା' ମୁକ୍ତ ଖୋଲା ଆକାଶ ତଳେ ପୂଜା ପାଇଥାନ୍ତି। ସେଥିପାଇଁ ମା'ଙ୍କୁ ଖରାଖାଇ ଠାକୁରାଣୀ ବୋଲି କହିଥାନ୍ତି। ମାଆ କବାଟ ଉପରେ ବିରାଜିଥିବାରୁ ଗାଁର କୌଣସି ଘରେ କବାଟ ନାହିଁ। ବର୍ଷ ବର୍ଷ ଧରି ଗାଁ ଲୋକେ ମା' ଖରାଖାଇଙ୍କ ଉପରେ ଅଗାଢ଼ ବିଶ୍ୱାସ ରଖିଛନ୍ତି, ଯେ ମା' ସ୍ୱୟଂ ଘର ଜଗିଥାନ୍ତି l

Advertisment

ମା' ଖରାଖାଇ ହେଉଛନ୍ତି ପରମ ବୈଷ୍ଣବୀ ଓ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଯିଏ ଯାହା ମନାସିଛି ତାହା ମା' ପୂର୍ଣ୍ଣ କରିଛନ୍ତି ବୋଲି ବିଶ୍ୱାସ ରହିଆସିଛି। ମନସ୍କାମନା ପୂର୍ଣ୍ଣ ପରେ ଭକ୍ତ ମାନସିକ କପଡ଼ା ଏବଂ ଘୋଡ଼ା ପ୍ରଦାନ କରିଥାନ୍ତି। ମନ୍ଦିର ଚତୁଃପାର୍ଶରେ ଭରି ରହିଛି ଲକ୍ଷାଧିକ ମାଟି ଘୋଡ଼ା ଏବଂ ମାନସିକ କପଡ଼ା। ମା'ଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଦିନ ଲାଗିଥାଏ ଭକ୍ତଙ୍କ ଭିଡ଼। ପ୍ରତ୍ୟେକ ପଣା ସଂକ୍ରାନ୍ତିରେ ଏଠି ବିଶେଷ ପୂଜା ହୋଇଥାଏ।

ବିଶ୍ୱାସ ଓ ଭରସାର ପ୍ରତିକ ଥିବା ଏହି ଶିଆଳିଆ ଗାଁକୁ ଏଯାଏଁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ। ତେଣୁ ଏହି ମାନ୍ୟତା ଦେଇ ପୀଠର ଭିତ୍ତିଭୂମିର ବିକାଶ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l

Advertisment

Odisha Odisha Villagers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ