ସାରା ରାଜ୍ୟରେ ସୁନ୍ଦରଗଡ ଜିଲ୍ଳାର ନୂଆଁ ଗାଁ ବ୍ଳକର ଏକ ପରିଚୟ ରହିଛି । ନୂଆଁ ବ୍ଳକ ପନିପରିବା ଚାଷରେ ପୁରା ଜିଲ୍ଳାରେ ଏକ ନମ୍ବର । ଏଠାରୁ ପନିପରିବା କେବଳ ସୁନ୍ଦରଗଡ ଜିଲ୍ଳା ନୁହେଁ ପଡୋଶୀ ରାଜ୍ୟ ମାନଙ୍କୁ ମଧ୍ୟ ରପ୍ତାନି ହୋଇଥାଏ । ତେବେ ବିଡମ୍ବନାର କଥା, ଏବେ ପରିବା ଚାଷୀ ଅଭାବୀ ବିକ୍ରୀର ଶିକାର ହେବା ସହ ପନିପରିବା ଆଉ କ୍ଷେତରୁ ଘରକୁ ଆଣୁ ନ ଥିବା ଅଭିଯୋଗ ହେଉଛି । ଏମିତି କୈାଣସି ପରିବା ନାହିଁ ଯାହା ନୂଆଁ ଗାଁ ବ୍ଳକର ଚାଷୀ କରନ୍ତି ନାହିଁ । ତେବେ ଏଠାରେ ଏକ କୋଲଡ ଷ୍ଟୋର ଅଛି କିନ୍ତୁ ତାହା ଅକାମି । ତେଣୁ ନୂତନ କୋଲଡ ଷ୍ଟୋର ପାଇଁ ଚାଷୀ ଙ୍କ ପକ୍ଷରୁ ଦାବି ହୋଇଛି ।
ନୂଆଁ ଗାଁ ବ୍ଳକର ଚାଷୀ ମାନେ ପନିପରିବା ଚାଷରେ ଏକ ନମ୍ବର । ଏଠାର ମାଟି ଓ ପାଣି ପବନ ପରିବା ଚାଷ ପାଇଁ ବେଶ ଉପଯୋଗୀ । ବଜାରରେ ମିଳୁଥିବା ସମସ୍ତ ପରିବା ଏଠାରେ ଚାଷ ହୋଇଥାଏ । ଯୁଆଡ଼େ ଦେଖିଲେ ଛନ ଛନିଆ ହୋଇ ପରିବା ଚାଷ ହୋଇଛି । ଲାଲ ଟମାଟ ହେଉ ଅବା ବାଇଗଣ । ଯୁଆଡେ ନଜର ପକାଇବେ ସିଆଡେ ଆପଣଙ୍କୁ ପରିବା ଚାଷ ହୋଇଥିବା ନଜରକୁ ଆସିବ । ପୁରା ବ୍ଳକରେ ସମସ୍ତ ଚାଷୀ ଏମିତି ପରିବା ଚାଷ କରିଥାନ୍ତି ।
Also Read
ବାଇଗଣ, ଫୁଲକୋବି, ବନ୍ଧାକୋବି, ଟମାଟ, ବିନସ, ଧନିଆପତ୍ର, କନ୍ଦମୂଳ, କଞ୍ଚାଲଙ୍କା, ଲାଉ, ଭଳିକି ଭଳି ଶାଗ । ଏମିତି ବହୁତ କିଛି ଚାଷ ହୋଇଥାଏ । ତେବେ ବିଡମ୍ବନାର କଥା ହେଲା ଏବେ ଚାଷୀଙ୍କ ଠାରୁ ବେପାରୀ ବହୁତ କମ ଦାମରେ କିଣୁ ନେଉଛନ୍ତି । ଯେମିତି ଟମାଟ କେଜି ପିଛା ୨ ଟଙ୍କା, ବାଇଗଣ ୩ ଟଙ୍କା, ଫୁଲ ଓ ବନ୍ଧା କୋବି ମଧ୍ୟ ୨ ଟଙ୍କା ଲେଖାଏ କେଜିରେ କିଣି ନେଉଛନ୍ତି । ଯାହା ଫଳରେ ଚାଷୀ ଆଉ ତାର ମୂଳ ଟଙ୍କା ମଧ୍ୟ ପାଇ ପାରୁନି । ଫଳରେ ବର୍ଷ ସାରାର ଫସଲକୁ ଚାଷୀ ଏବେ କ୍ଷେତରେ ଛାଡିବାକୁ ବାଧ୍ୟ ହେଉଛି । ଯେଉଁ ଧାର କରଜ କରି ଚାଷୀ ଚାଷ କରିଥିଲା ତାହା ମଧ୍ୟ ପାଇ ପାରୁନି ।
ଗତ ୨୪ ବର୍ଷରେ ବିଜେଡି ସରକାର ନୂଆଁ ଗାଁ ବ୍ଳକରେ ଏକ କୋଲଡ ଷ୍ଟୋର କରିଥିଲା । ସେଥିରେ ପ୍ରାୟ ୧୬ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲା । ତା ସହ ଏକ ଗାଡି ଯାହାର ଦାମ ପ୍ରାୟ ୨୨ ଲକ୍ଷ ତାହା ବି ଏବେ ପଡି ପଡି ଖତ ଖାଉଛି । ନୂଆ ବ୍ଳକ ନିକଟରେ ଏମିତି ଗୋଟିଏ କି ଦୁଇଟି ନୁହେଁ ତିନିଟି ଘର ଅଛି କିନ୍ତୁ ତାହା ମଧ୍ୟ ବେକାର । ଗତ ସରକାର ଏମିତି ଭୂଆଁ ବୁଲାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ନୂଆ ସରକାର ଏଥିପାଇଁ ଚେଷ୍ଟା କରୁଥିବା କୁହାଯାଉଛି । ପାନପୋଷ ଉପ ଜିଲ୍ଳାପାଳ କହିଛନ୍ତି ଖୁବ ଶିଘ୍ର ସେଠାରେ ଏକ ଉନ୍ନତ ମାନର କୋଲଡ ଷ୍ଟୋର ତିଆରି ହେବ । ଏବେ ଖାଲି ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ଚାଷୀଙ୍କ ଭାଗ୍ୟ।