NHRCଙ୍କ ଉଦ୍ବେଗ ବର୍ଷିଲେ ସାମାଜିକ କର୍ମୀ
ଏପଟେ କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର କମିଶନ୍ । ଓଟିଭିକୁ ପ୍ରତିକ୍ରିୟାରେ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି ଘଟଣାର ନିଶ୍ଚୟ ତଦନ୍ତ ହେବ । ଏଥିସହ ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ କିଟରେ ଥିବା ବ୍ୟବସ୍ଥା ଯେ ଠିକ୍ ଭାବେ କାମ କରୁ ନଥିଲା ତାହା ପୂର୍ବ ତଦନ୍ତରୁ ଜଣାପଡ଼ିଥିଲା ବୋଲି କହିଛନ୍ତି କମିଶନ୍ ସଦସ୍ୟ । ସେପଟେ ଉଚ୍ଚସ୍ତରୀୟ କମିଟି ରିପୋର୍ଟରେ ବିଳମ୍ବକୁ ନେଇ ବର୍ଷିଛନ୍ତି ସାମାଜିକ କର୍ମୀ । ତେବେ ଏନେଇ କିଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅଢ଼େଇ ମାସ ଅନ୍ତରରେ କିଟ୍ କ୍ୟାମ୍ପସରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ । ହେଲେ କାହିଁକି ? କାହିଁକି ଛାତ୍ରୀଙ୍କ ପାଇଁ ଅସୁରକ୍ଷିତ କିଟ୍ କ୍ୟାମ୍ପସ ? କାହିଁକି ପୂର୍ବ ଭୁଲରୁ ଶିଖିପାରିଲେନି କିଟ୍ କର୍ତ୍ତୃପକ୍ଷ ? ଏ ପ୍ରଶ୍ନ ଖାଲି ସାଧାରଣରେ ନୁହେଁ, ଖୋଦ୍ ଜାତୀୟ ମାନବାଧିକାର କମିଶନଙ୍କ ସଦସ୍ୟ ପ୍ରିୟଙ୍କ କାନୁନଗୋ ବି କହିଛନ୍ତି ପୂର୍ବ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କମିଶନ୍ ଦେଇଥିବା ସୁପାରିଶକୁ ଯଦି କାର୍ଯ୍ୟକାରୀ କରାଯାଇଥାନ୍ତା ତାହେଲେ ଏଭଳି ଘଟଣାରେ ଲଗାମ ଲାଗିଥାନ୍ତା ।
ଅଧିକ ପଢ଼ନ୍ତୁ: କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି
ଗତକାଲି ସଂଧ୍ୟାରେ କିଟ୍ କ୍ୟାମ୍ପସ ପରିସରରୁ ଛାତ୍ରୀ ମୃତ୍ୟୁ ଖବର ଆସୁ ଆସୁ, ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର କମିଶନ୍। ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, କମିଶନ ଏ ଘଟଣାକୁ ନିଜ ସଂଜ୍ଞାନକୁ ନେଇଛନ୍ତି। ଖୁବଶୀଘ୍ର ଏହାର ତଦନ୍ତ ହେବ। ତଦନ୍ତ ସରିବା ପରେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ପୁଣିଥରେ ଆବଶ୍ୟକୀୟ ସୁପାରିସ କରିବ NHRC ।
ଅନ୍ୟପକ୍ଷରେ ପ୍ରିୟଙ୍କ କହିଛନ୍ତି, ପୂର୍ବ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଏନ୍ଏଚ୍ଆରସି ଦେଇଥିବା ସୁପାରିସ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିବାରୁ ସେ ଅଧିକ ଟିପ୍ପଣୀ ଦେବାକୁ ଚାହୁଁନଥିଲେ ବି କହିଛନ୍ତି କମିଶନ ସେତେବେଳେ ନିଜ ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ, କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ଅଧିକାର ପାଇଁ ରହିଥିବା ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିଲା। କିଟ୍ ସରକାରଙ୍କ ନିୟମାବଳିକୁ ଭାଙ୍ଗି ଚାଲିଥିଲା, ଯେଉଁ କାରଣରୁ ସେତେବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।
ଏପଟେ କିଟ୍ରେ ବାରମ୍ବାର ବିଦେଶୀ ଛାତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମାନବାଧିକାର କର୍ମୀ। କହିଛନ୍ତି, ଉଚ୍ଚଶିକ୍ଷିତ ହେବା ଆଶାନେଇ ଆସୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଏହା ବିଶ୍ବବିଦ୍ୟାଳୟ ଦାୟିତ୍ବହୀନତାକୁ ଦର୍ଶାଉଛି। ଏଣୁ NHRC ଏହାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନିଅନ୍ତୁ। ସେହିପରି ଯେଭଳି ଏଭଳି ଘଟଣା ନଘଟିବ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉକ୍ତ ଶିକ୍ଷାନୁଷ୍ଠାନ ଉପରେ କଡ଼ା ନଜର ରଖନ୍ତୁ। ଏସବୁ ଭିତରେ କିଟ୍ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦାଖଲରେ ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ। କହିଛନ୍ତି, ଯେଉଁ ଅଧିକାରୀମାନେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଠିକରେ ତଦନ୍ତ କରି ରିପୋର୍ଟ ଦେଇପାରୁନାହାନ୍ତି, ସେଭଳି ଅଧିକାରୀଙ୍କ କମିଟିରେ ରଖିବାର କୌଣସି ଆବଶ୍ୟକତା ନାହିଁ। ଯଦି ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେଇଥାଆନ୍ତା, ଆଉ ସରକାର ତା’ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ହୁଏତ ଆଜି ଏଭଳି ଘଟଣା ପୁଣିଥରେ ଦେଖିବାକୁ ମିଳିନଥାନ୍ତା ବୋଲି କହିଛନ୍ତି ସାମାଜିକ କର୍ମୀ ।
ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏନ୍ଏଚ୍ଆରସି ତଦନ୍ତରୁ କିଟ୍କୁ ନେଇ ଆଉ କି ଖୁଲାସା ହେଉଛି ଏବଂ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି କେବେ ରିପୋର୍ଟ ଦାଖଲ କରୁଛି, ତାହା ଉପରେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746196975.jpg)