KIIT University Row: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା

୩ ଦିନ ହେଲା କିଟ୍ କାଣ୍ଡକୁ ନେଇ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ ଟିମ । କିଟ୍ ସହ କିସ୍‌ରେ ମଧ୍ୟ ଛାନଭିନ୍ କରୁଛି । ଆଜି ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ପଚରା ଉଚରା କରାଯାଇଛି ।

କିଟ୍ କେଳେଙ୍କାରୀ

କିଟ୍ କାଣ୍ଡକୁ ନେଇ ଚାଲିଛି ଘଣ୍ଟାଚକଟା । ୩ ଦିନ ହେଲା କିଟ୍‌ କେଳେଙ୍କାରୀ ସମ୍ପର୍କିତ ମାମଲାରେ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ (NHRC) ଟିମ୍ । ଗ୍ରାଉଣ୍ଡ ଜିରୋରେ ପଚରାଉଚରା ସାଙ୍ଗକୁ ରୁଦ୍ଧଦ୍ୱାର ଜେରା ହୋଇଛି । ତଦନ୍ତ ବେଳେ ଅନେକ ଲୋକ ଅଚ୍ୟୁତ ସାମାନ୍ତଙ୍କ କେଳେଙ୍କାରୀର ଲମ୍ବା ତଥ୍ୟ ଦେଇଛନ୍ତି । ଆଜି ତୃତୀୟ ଦିନରେ ବି ଏନଏଚଆରସି ଟିମ୍ ଏକାଧିକ ଲୋକଙ୍କୁ ପଚରା ଉଚରା କରିଛି । ପୂର୍ବରୁ କିସ୍‌କୁ ନେଇ ଅଭିଯୋଗ ଥିବାରୁ କିଟ୍ ସହ କିସ୍‌ରେ ମଧ୍ୟ ଛାନଭିନ୍ ଚଳାଇଛି । ଖୁବ୍‌ଶୀଘ୍ର ଏହି ମାମଲାର ତଦନ୍ତ ସାରି କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏନଏଚଆରସି ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂ ।

ଅଧିକ ପଢ଼ନ୍ତୁ: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

ଭୁବନେଶ୍ୱର ଆସିଥିବା ୩ ଜଣିଆ ଏନଏଚଆରସି ଟିମ୍ ଅନେକ ଛାତ୍ରଛାତ୍ରୀ, କର୍ମଚାରୀଙ୍କୁ ଘନ ଘନ ଜେରା କରିଛି । ଏଥିସହ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତକାରୀ ଅଧିକାରୀ ହାଜର ହୋଇ ତଦନ୍ତ ସମ୍ପର୍କିତ ବିସ୍ତୃତ ବିବରଣୀ ରଖିଛନ୍ତି । ମୃତା ନେପାଳୀ ଛାତ୍ରୀଙ୍କ ୫ ସହପାଠୀ ମଧ୍ୟ ଘଟିଥିବା ଘଟଣା ଓ ତା'ପରର ଟିକନିଖ୍ ତଥ୍ୟ ଦେଇଛନ୍ତି । 

ତେବେ ଏନଏଚଆରସି ଟିମ୍ କିଟ୍ ସହିତ କିସ୍‌ରେ ତନାଘନା କରିଛି । କିସ୍‌ରେ ପଢ଼ୁଥିବା ଛୋଟପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ସହ ଏକାଧିକ ଲୋକଙ୍କୁ ପଚରାଉଚରା କରିଛି । ଅନେକ ସାଧାରଣ ଲୋକ ଓ ଆରଟିଆଇ କର୍ମୀ ରାଜ୍ୟ ଅତିଥି ଭବନରେ ନିଜ ଆଡୁ ପକ୍ଷ ରଖି କିଟ୍, କିସ୍‌ରେ ଚାଲିଥିବା କେଳେଙ୍କାରୀର ଲମ୍ବା ତଥ୍ୟ ଦେଇଛନ୍ତି । ଅଚ୍ୟୁତ ସାମନ୍ତ କିଭଳି ଆଇନରୁ ଉର୍ଦ୍ଧ୍ବରେ କାର୍ଯ୍ୟ କରୁଥିଲେ ତାହାର ପ୍ରମାଣ ଏନଏଚଆରସି ଟିମ୍‌କୁ ଦେଇଛନ୍ତି । 

କିଏ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କ ସନ୍ଦେହଜନକ କାର୍ଯ୍ୟକଳାପ କଥା ଉଠାଇଛି ତ ପୁଣି କିଏ ଅଚ୍ୟୁତଙ୍କ ବିରୋଧରେ ଜମି କେଳେଙ୍କାରୀର ପ୍ରମାଣ ଦେଇଛି । ତାସହ କିସ୍‌ରେ କିଭଳି ଭାବେ ଆଦିବାସୀ ପିଲାଙ୍କୁ ମୌଳିକ ସୁବିଧା ମିଳୁନି । ଆରଟିଆରେ ବି ତଥ୍ୟ ଉପଲବ୍ଧ ନାହିଁ ସେ ଡକ୍ୟୁମେଣ୍ଟ ଦେଇ ଅଚ୍ୟୁତ ସାମନ୍ତ କ'ଣ ଆଇନରୁ ଉର୍ଦ୍ଧ୍ବରେ ବୋଲି କମିଶନଙ୍କୁ ଅବଗତ କରିଛନ୍ତି ଆରଟିଆଇ କର୍ମୀ । ସମସ୍ତଙ୍କ ଅଭିଯୋଗ ଶୁଣିବା ଆକ୍ସନ ନେବେ ବୋଲି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ଆଶ୍ବସ୍ତିବାଣୀ ଦେଇଥିବା କହିଛନ୍ତି ତଥ୍ୟ ପ୍ରଦାନକାରୀ ।

ଅଧିକ ପଢ଼ନ୍ତୁ: କିଟ୍ କାଣ୍ଡକୁ ନେଇ NHRC ଟିମ୍‌ର ଘନ ଘନ ଜେରା; ବିରୋଧୀଙ୍କୁ ଜବାବ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ...