ବାତ୍ୟା ‘ଦାନା’ ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ

ଆସନ୍ତାକାଲି ଓ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Nandankanan

୧୨ ବର୍ଷ ପରେ ଅକ୍ଟୋବରରେ ଓଡ଼ିଶା ଆସୁଛି ବାତ୍ୟା । ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଘୂର୍ଣ୍ଣିବାତ୍ୟା ‘ଦାନା’ । ସ୍ଥଳ ଭାଗ ଛୁଇଁଲା ସାଇକ୍ଲୋନର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ଏବେ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାଇକ୍ଲୋନ୍ ‘ଦାନା’ । ବାତ୍ୟାକୁ ଦୃଷ୍ଟିରେ ବନ୍ଦ ରହିବ ନନ୍ଦନକାନନ । ଆସନ୍ତାକାଲି ଓ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ସେପଟେ ଘୂର୍ଣ୍ଣିବାତ୍ୟା ‘ଦାନା’ ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ । ଭିତରକନିକା-ଧାମରା ପାଖାପାଖି ଲାଣ୍ଡଫଲ୍ କରିପାରେ ‘ଦାନା’ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

‘ଦାନା’ ଉପକୂଳ ଅତିକ୍ରମ ବେଳେ ପବନ ବେଗ ୧୦୦-୧୨୦ କିମି ରହିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ସମୁଦ୍ରରେ ୧-୨ ମିଟର ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ୧-୨ ମିଟର ଜୁଆର ଆସିପାରେ । ବାତ୍ୟାରେ କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, ଭଦ୍ରକ ସମେତ ପଶ୍ଚିମ ମେଦିନିପୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇପାରେ ।

ବାତ୍ୟା ଉପକୂଳ ମୁହାଁ ହେବା ସହ ଓଡ଼ିଶା ଉପକୂଳ ନିକଟରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଜି ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଆସନ୍ତକାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ। ପବନରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି ।