ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?

ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା ।

Bill Board Tragedy

ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା । ମୁମ୍ବାଇ ପୋଲିସ ଏହି ଅଘଟଣର ତଦନ୍ତ ଆରମ୍ଭ କରିଥିବା ବେଳେ, ମୁମ୍ବାଇର ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ହୋର୍ଡିଂ ହଟାଇବା ଆରମ୍ଭ ହୋଇଛି । ତେବେ ଏଭଳି ବିପଦସଂକୁଳ ହୋର୍ଡିଂକୁ ନେଇ ଟ୍ୱିନସିଟି ସୁରକ୍ଷିତ ତ ..

ଗତକାଲି ଧୂଳିଝଡ଼ରେ ବିଲବୋର୍ଡ ଭାଙ୍ଗିବାର ଦୃଶ୍ୟ ଦୂରରୁ ଯେତିକି ଭୟଙ୍କର ଥିଲା, ତା’ ଠୁ ଅଧିକ ହୃଦୟ ବିଦାରକ ଥିଲା ବିଭୀଷିକା ସ୍ଥଳର ଭାଙ୍ଗିବା ପରର ଚିତ୍ର । ଦାନବ ଭଳି ମାଡ଼ି ବସିଛି ୧୦୦ ଫୁଟ୍ ଲମ୍ବା ୨୫୦ ଟନ୍ ଓଜନର ଭୀମକାୟ ବିଲବୋର୍ଡ । ଲୁହା ଫ୍ରେମ୍ ତଳେ ଚାପି, ମୋଡ଼ି ମକଚି ଯାଇଛି ବହୁ ସଂଖ୍ୟକ କାର୍ ଓ ଅନ୍ୟ ଯାନବାହନ ।

ବିଲବୋର୍ଡ ପଡ଼ି ପେଟ୍ରୋଲ ପମ୍ପ ଛାତ ବି ଛିଣ୍ଡି ପଡ଼ିଛି ଗାଡ଼ି ଓ ଲୋକଙ୍କ ଉପରେ । ୧୪ ଜଣଙ୍କ ଜୀବନ ନେବା ସହ ୭୪ ଜଣଙ୍କୁ ଆହତ କରିଛି ମୁମ୍ବାଇ ଘାଟକୋପରରେ ଗତକାଲି ଅପରାହ୍ଣର ଏହି ଅଘଟଣ । ଗ୍ୟାସ କଟରରୁ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଆଶଙ୍କା ଥିବାରୁ, କେବଳ କ୍ରେନରେ କାଲି ରାତି ତମାମ୍ ଚାଲିଥିଲା NDRF ରେସ୍କ୍ୟୁ ।

ଆଉ ରାତି ବଢ଼ିବା ସହ ବଢ଼ି ଚାଲିଥିଲା ମୃତକଙ୍କ ସଂଖ୍ୟା । କାଲିର ଏହି ଅଘଟଣ ପରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ, ଏତେ ବଡ଼ ହୋର୍ଡିଂ ଲଗାଇଥିବା ସଂସ୍ଥା ଇଗୋ ମିଡିଆର ମାଲିକ ଭବେଶ ଭିଣ୍ଡେ ଫେରାର୍ ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ବ୍ରିହନ ମୁମ୍ବାଇ ମହାନଗର ନିଗମ ଏବଂ ରେଳ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ।

ଏହି ବିରାଟ ବିଲବୋର୍ଡ ବେଆଇନ ଥିଲା ଏବଂ ଅନୁମୋଦିତ ଆକାର ଠାରୁ ୩ ଗୁଣ ବଡ଼ ଥିଲା ବୋଲି ଦର୍ଶାଇଛି BMC । ଭାଙ୍ଗିଥିବା ବିଲବୋର୍ଡ ବିଏମସିର ବିନା NOCରେ ରେଳ ବିଭାଗ ଜମିରେ ଥିଲା ବୋଲି ସଫେଇ ରଖିଛି ନିଗମ । ମହାନଗର ନିଗମ ପକ୍ଷରୁ ଇଗୋ ମିଡିଆକୁ ୬ କୋଟି ୧୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛି ସେଣ୍ଟ୍ରାଲ୍ ରେଲୱେ। ସେପଟେ ଆଜି ଠାରୁ ଘାଟକୋପର ଅଂଚଳରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ମୁମ୍ବାଇ ଅଘଟଣ ପରେ ଭୁବନେଶ୍ୱରରେ ଛନକା । ବାତ୍ୟା ପ୍ରବଣ ଓଡ଼ିଶାର କ୍ୟାପିଟାଲ ସିଟିରେ, ବହୁ ଜନଗହଳିପୂର୍ଣ୍ଣ ସ୍ଥାନରେ ମୁଣ୍ଡ ଟେକିଛି ବଡ଼ ବଡ଼ ବିଲବୋର୍ଡ ବା ହୋର୍ଡିଂ ।

ଶିଶୁଭବନ ଛକ, କଳ୍ପନା ଓ ମାଷ୍ଟରକ୍ୟାଣ୍ଟିନ । କେଉଁଠି ରାସ୍ତାକୁ ଲାଗି ଛିଡ଼ା ହୋଇଛି ବିଶାଳକାୟ ହୋର୍ଡିଂର ଲୁହା ଷ୍ଟ୍ରକଚର, ତ ଆଉ କେଉଁଠି ଟ୍ରାଫିକ ଛକରେ ବି ଲାଗିଛି ବିଲବୋର୍ଡ । ସେପଟେ ବାଉନ ବଜାର ତେପନ ଗଳିର ସହର କଟକରେ ବି ତଦ୍ରୁପ ଚିତ୍ର । ବାଦାମବାଡ଼ି ଓ ଖାନନଗର ଛକରେ ୨-୩ ମହଲା ଉଚ୍ଚ ହୋର୍ଡିଂ ଲାଗିଥିବା ବେଳେ, କେଉଁଟି କଳଙ୍କି ଲାଗି ଦୁର୍ବଳ ହେଲାଣି, ତ ଆଉ କେଉଁଟି ପରିତ୍ୟକ୍ତ ଓ ଚିରି ଫାଟି ଗଲାଣି ।

ଭୁବନେଶ୍ବର ସ୍ଥିତି ସଂପର୍କରେ ବିଏମସି କମିଶନରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, କଟକ ମହାନଗର ନିଗମ କମିଶନର କହିଛନ୍ତି, ମୁମ୍ବାଇ ଅଘଟଣ ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବେନିୟମ ଓ ବିପଦସଂକୁଳ ହୋର୍ଡିଂ ହଟାଇବାକୁ ପଦକ୍ଷେପ ନିଆଯାଉଛି । ପୂର୍ବରୁ ମହାରାଷ୍ଟ୍ର ପୁଣେର ମଧ୍ୟ ହୋର୍ଡିଂ ଭାଙ୍ଗି ୨୦୧୮ରେ ୪ ଜଣଙ୍କର ଓ ୨୦୨୩ରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ।