ଗୋଟିଏ ଅସହାୟ ଭଉଣୀର କୋହ । ଭାଇର ଫଟୋକୁ ଅନାଇ ଅନାଇ ୮ ମାସ ବିତିଗଲାଣି । ହେଲେ ନା ସେ ଆସୁଛି ନା ଫୋନ କରି ଖବର ଟିକିଏ ନେଉଛି । ତା ଫେରିବା ବାଟକୁ ଅପେକ୍ଷା କରି କରି ଭଉଣୀର ଲୁହ ଶୁଖିଗଲାଣି ଓ ମସ୍ତିଷ୍କ ବିକାରଗ୍ରସ୍ତ ହୋଇଗଲାଣି । ହେଲେ ମଧ୍ୟ ସେ ଅପେକ୍ଷା କରିଛି ତା ଭାଇ ଆସିବ ଓ ତା କଥା ବୁଝିବ ।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ୱାର୍ଡ ନଂ ୩ରେ ରହୁଥିବା ବିଜୟଲକ୍ଷ୍ମୀ ପାଲ। ବାପା ମାଆ ଚାଲିଯିବା ପରେ ତାଙ୍କର ସମସ୍ତ ଦାୟିତ୍ୱ ଭାଇ ସଞ୍ଜୀତଙ୍କ ଉପରେ ପଡିଲା । ସେ ଭଉଣୀକୁ ନେଇ ଖାଡାଗଳିରେ ଘରଭଡା ନେଇ ରହିଲେ । ବିଭିନ୍ନ ସଂସ୍ଥାରେ କାମ କରି ଯାହା ପଇସା ରୋଜଗାର କରୁଥିଲେ ସେଥିରେ ଭାଇ ଭଉଣୀ ଆରାମରେ ଚଳିଯାଉଥିଲେ ।
Also Read
ହେଲେ ହଠାତ ତିନି ବର୍ଷ ହେଲା ଭଉଣୀଙ୍କୁ ଘର ମାଲିକଙ୍କ ଦାୟିତ୍ୱରେ ଛାଡିଦେଇ କାମ କରିବାକୁ ବାହାରକୁ ଚାଲିଗଲେ । ସେଠାରୁ ଭଉଣୀର ସମସ୍ତ ଖର୍ଚ୍ଚ ସହିତ ଘର ଭଡା ମଧ୍ୟ ପଠାଉଥିଲେ ସଞ୍ଜୀତ । ମଝିରେ ମଝିରେ ଆସି ଭଉଣୀକୁ ଦେଖା ମଧ୍ୟ କରୁଥିଲେ । ହେଲେ ଆଜକୁ ୮ ମାସ ହେଲା ତାଙ୍କର କୌଣସି ଖବର ନାହିଁ ।
ଭଉଣୀକୁ ଦେଖିବାକୁ ଆସିବା ତ ଦୂରର କଥା, ଫୋନ ଟିକେ ମଧ୍ୟ କରୁନାହିଁ । ଏବେ ଘରମାଲିକଙ୍କ ଭରଷାରେ ବଞ୍ଚିଛନ୍ତି ବିଜୟଲକ୍ଷ୍ମୀ । ୮ ମାସ ହେଲା ଘର ଭଡା ଦେଇ ନଥିଲେ ମଧ୍ୟ ତାଙ୍କ ଦାୟିତ୍ୱ ନେବା ସହ ଖାଇବା ପିଇବା କଥା ବୁଝୁଛନ୍ତି ଘର ମାଲିକ । ହେଲେ ସେ ମଧ୍ୟ ହତାଶ ଅବସ୍ଥାରେ ଅଛନ୍ତି ।
କାରଣ ଘରେ ତାଙ୍କର ଭିନ୍ନକ୍ଷମ ଝିଅଟିଏ ଥିଲାବେଳେ ଏବେ ବିଜୟଲକ୍ଷ୍ମୀଙ୍କ ଅବସ୍ଥା ତାଙ୍କ ଚିନ୍ତା ଦ୍ୱିଗୁଣିତ କରିଛି । ତେଣୁ ସେ ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ରାଜଗାଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି ଝିଅର କୌଣସି ମୁରବି ନଥିବାରୁ ଆମେ କିଛି କରି ପାରୁନାହୁଁ । ଯଦି ତାଙ୍କର କୌଣସି ସମ୍ପର୍କୀୟ ନଆସିବେ ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ଥିବା ଆବାସରେ ରଖାଯିବ ।