କୋରାପୁଟ ମେଡିକାଲ୍ କଲେଜ-ହସ୍ପିଟାଲରେ ଶୋଚନୀୟ ଅବସ୍ଥା ! ଚିକିତ୍ସା କମ୍, ରେଫର୍ ବେଶୀ

ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ।

Koraput Medical College

ଘୋର ଅବ୍ୟବସ୍ଥା ଭିତରେ ଚାଲିଛି କି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ? ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠୁ ବି ନିମ୍ନମାନର ସ୍ୱାସ୍ଥ୍ୟସେବା ପାଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ବାସିନ୍ଦା । ମେଡିକାଲରେ ଡାକ୍ତରଙ୍କ ମନମୁଖୀ ସେବା ଓ ପରିଚାଳନା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏହା ଏକ ରେଫରାଲ୍ ହସ୍ପିଟାଲରେ ପରିଣତ ହୋଇଥିବା କୁହାଯାଉଛି ।

ଏଠାରୁ ଅଧିକାଂଶ ରୋଗୀଙ୍କୁ ଦିନକ ପାଇଁ ଭର୍ତ୍ତି କରି ପରଦିନ ଗୁରୁତର ଅବସ୍ଥାରେ ବ୍ରହ୍ମପୁର, କଟକ କିମ୍ବା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ରେଫର୍ କରାଯାଉଥିବା ବାରମ୍ବାର ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ, ଆମ୍ବୁଲାନ୍ସ ଓ ଅଲଟ୍ରାସାଉଣ୍ଡ ଆଦି ମୌଳିକ ସେବା ସହିତ ମେଡିକାଲ୍ ପରିସର ସଫେଇ ଓ ପରିମଳ ବ୍ୟବସ୍ଥା ବି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି ।

କୋରାପୁଟ ମେଡିକାଲ କଲେଜ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶା ଏବଂ ଛତିଶଗଡ଼ ସୀମାବର୍ତ୍ତି ଅଞ୍ଚଳର ଲୋକେ ନିର୍ଭର କରନ୍ତି। ପ୍ରତିଦିନ ଏଠାକୁ ୭ ଶହରୁ ଅଧିକ ଆସନ୍ତି ଏବଂ ପ୍ରାୟ ୩ଶହ ରୋଗୀ ଭର୍ତ୍ତି ହୁଅନ୍ତି । ହେଲେ ଏଠାରେ ରୋଗୀମାନେ ସାମାନ୍ୟ ରୋଗ ପାଇଁ ମଧ୍ୟ ଚିକିତ୍ସା ପାଇବା ବେଳେ, ବିଭିନ୍ନ ପ୍ରକାର ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗକୁ ନେଇ କିଛି ଦିନ ତଳେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

କୋରାପୁଟ ସାଂସଦ ଏବଂ ଜୟପୁର, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ପ୍ରମୁଖ ଏନେଇ ଉଦବେଗ ପ୍ରକାଶ କରିଥିଲେ । ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମେଡିକାଲ କଲେଜ ଅଧୀକ୍ଷକ, ଡିନ୍ ଏବଂ ଏଓଙ୍କୁ ତାଗିଦ ବି କରାଯାଇଥିଲା । ତେବେ ଏନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଜିଲ୍ଲାପାଳ କହିଛନ୍ତି ସମସ୍ୟାର ସମାଧାନ ପାଇଁ ଜନପ୍ରତିନିଧି, ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ଡାକିବେ ।