• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସଂଘର୍ଷ, ସାହସ ବୀରତ୍ୱ ଓ ବଳିଦାନର ଘଟଣାକୁ ବିତିଲାଣି ୨୬ ବର୍ଷ । ହେଲେ ଏବେବି ମନରୁ ଲିଭିନି, କାରଗିଲ୍ ଯୁଦ୍ଧର ସେହି ଲୋମଟାଙ୍କୁରା ଘଟଣାବଳୀ । କାର୍ଗିଲ୍ - ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଆନ୍ଦୋଳିତ କରିବା ଭଳି ଶବ୍ଦଟିଏ । ନିଜ ମାଟି ମାଆକୁ ସୁରକ୍ଷିତ ରଖିବା ପାଇଁ ଶତ୍ରୁ ସେନାଙ୍କୁ ଜବାବ ଦେବାକୁ ଆରପାର୍ ଲଢ଼େଇ କରିଥିଲା ଭାରତୀୟ ସେନା । ଏଥିରେ ସଫଳ ହୋଇଥିଲା ଭାରତୀୟ ସେନା । ଫର୍ ଫର୍ ଉଡ଼ିଥିଲା ତ୍ରିରଙ୍ଗା । ମାତ୍ର ପ୍ରତିକୂଳ ପରିସ୍ଥିତିରେ ସହଜ ନଥିଲା ସବୁକିଛି, ବଳିଦାନ ଦେଇଥିଲେ ଭାରତ ମାଟିର ଅନେକ ବୀରପୁଅ । କାହାର ସଂପୂର୍ଣ୍ଣ ଶରୀର ବଦଳରେ କେବଳ ଅସ୍ଥି ଘରେ ପହଞ୍ଚିଥିଲା ତ ଆଉ କାହାର ପରିଚୟ ଜାଣିବା ମୁସ୍କିଲ ହୋଇଯାଇଥିଲା ।

କାର୍ଗିଲ ବିଜୟ ଦିବସରେ କାର୍ଗିଲ ହିରୋଙ୍କ ବଳିଦାନକୁ ସାରା ଦେଶବାସୀ ମନେ ପକାଉଥିବାବେଳେ ମୟୂରଭଞ୍ଜର ବୀର ପୁଅ ସୁଦାନ ଟୁଡୁଙ୍କ ଭାଗ୍ୟରେ ସେତକ ନାହିଁ । ୧୭ ରାଷ୍ଟ୍ରୀୟ ରାଇଫଲରେ କାମ କରୁଥିଲେ ସୁଦାନ । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ୍ ଅନ୍ତର୍ଗତ ନହରଦା ଗାଁରେ ସହିଦ ସୁଦାନ ଟୁଡୁଙ୍କ ଘର । କାର୍ଗିଲ ସହିଦ ଦିବସକୁ ୨୬ ବର୍ଷ ହେଲା କିନ୍ତୁ ଆଜି ତାଙ୍କ ଜନ୍ମ ମାଟିରେ କୌଣସି ଚିହ୍ନ ବର୍ଣ୍ଣ ନାହିଁ ।

ଛୁଟିରେ ଘରକୁ ଆସିଥିଲେ, ହେଡକ୍ୱାର୍ଟରରୁ ହଠାତ୍ ଜରୁରୀ ଡାକରା ଆସିଲା ଯୁଦ୍ଧ ହେବାର ଅଛି, ଶୀଘ୍ର ଯୋଗଦେବାକୁ ପଡ଼ିବ । ଆଉ ଡେରି ନକରି ସେହି ରାତିରେ ହିଁ ବାହାରି ପଡ଼ିଥିଲେ । ଯିବାବେଳେ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିବେ ଯେ ଛୁଟିରେ ପୁଣି ଆସିବେ, ମାତ୍ର ଆଉ ଫେରିନଥିଲେ । କେବଳ ଫେରିଥିଲା ତାଙ୍କ ଅସ୍ଥି । ଯୁଦ୍ଧ ସରିଲା ପରେ ରାଇରଙ୍ଗପୁର ତହସିଲ ଓ ଟାଉନ ଥାନାରୁ ଖବର ଆସେ, ଆପଣଙ୍କ ସ୍ୱାମୀ ସୁଦାନ ଯୁଦ୍ଧରେ ସହିଦ ହୋଇଯାଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଜାମଦା ବ୍ଲକ୍ ଅନ୍ତର୍ଗତ ନହରଦା ଗାଁରେ ସହିଦ ସୁଦାନ ଟୁଡୁଙ୍କ ଜନ୍ମ । ପିଲାଟି ଦିନରୁ ତାଙ୍କର ଦେଶ ସେବା ପାଇଁ ଭାରି ଇଚ୍ଛା ଥିଲା । ଛୋଟବେଳୁ ବାପା ମାଆକୁ ହରାଇଥିଲେ । ସୁଦାନଙ୍କ ଦୁଇ ଭାଇ ଓ ଦୁଇ ଭଉଣୀଙ୍କୁ ବଡ଼ କରିଛନ୍ତି ପିଉସୀ । ସବୁ ଭାଇ ଓ ଭଉଣୀଙ୍କ ଠାରୁ ପାଠପଢାରେ ସୁଦାନଙ୍କ ବେଶୀ ଆଗ୍ରହ ଥିଲା । ପିଲାଟି ଦିନରୁ ଗଛ ଲଗାଇବା,  ଗରୀବ ଲୋକମାନଙ୍କ ସେବା କରିବା ତାଙ୍କୁ ସମସ୍ତଙ୍କଠୁ ଅଲଗା କରୁଥିଲା । ବଡ ହୋଇ ଦେଶ ସେବା କରିବାକୁ ଇଚ୍ଛା କରିଥିଲେ ସୁଦାନ । ସୁଦାନଙ୍କୁ ସୈନିକ ବନେଇବାରେ ସବୁଠୁ ବେଶୀ ଅବଦାନ ରହିଥିଲା ପିଉସୀ ସୁଫି ଟୁଡୁଙ୍କର ।

ସୁଦାନଙ୍କ ସ୍ତ୍ରୀ ସୀତାମଣି ଟୁଡୁ । ଆଜି ବି ସେ ସ୍ୱାମୀଙ୍କୁ ମନେ ପକାଇ ଫଟୋ ଧରି କାନ୍ଦନ୍ତି । ଦୁଇ ଝିଅ ଓ ଗୋଟିଏ ପୁଅ । ବଡ ଝିଅ ସ୍ଵପ୍ନାଙ୍କର ବିହାହ ସରିଥିବାବେଳେ ସାନ ଝିଅ କଳ୍ପନା ଓ ପୁଅ ବୀରୁ ଟୁଡୁ ପାଠ ପଢ଼ୁଛନ୍ତି । ବାପାଙ୍କ ଭଳି ସୈନିକ ହୋଇ ଦେଶ ସେବା କରିବା ପୁଅ ଓ ଝିଅଙ୍କର ମଧ୍ୟ ସ୍ୱପ୍ନ । ଆଜି ବି ସ୍ତ୍ରୀ ସୀତାମଣି  ଗାଁରେ ଏକା ରୁହନ୍ତି ଓ ଚୁଲିରେ ରୋଷେଇ କରନ୍ତି । ସ୍ୱାମୀ ଗଛ ଲଗାଇବାକୁ ପସନ୍ଦ କରୁଥିଲେ, ସେଥିପାଇଁ ସୀତାମଣି ଘର ପାଖରେ ଜାଗା କିଣି ବିଭିନ୍ନ ଗଛ ଲଗାଇଛନ୍ତି ।

କାର୍ଗିଲ ସହିଦ ଦିବସକୁ ଆଜି ୨୬ ବର୍ଷ ପୂରଣ ହେବ । ହେଲେ ତାଙ୍କ ସ୍ତ୍ରୀ ଓ ଗାଁର ସାଙ୍ଗ ମାନେ କୁହନ୍ତି ଆଜିର ଯୁବପିଢ଼ି ସୁଦାନକୁ ଜାଣି ନାହାନ୍ତି । ସୁଦାନ କିଏ ? ଓ ସେ ଦେଶ ପାଇଁ କ'ଣ କରିଛନ୍ତି କେହି ଜାଣି ନାହାନ୍ତି । କାରଣ ଜନ୍ମମାଟିରେ ସୁଦାନଙ୍କ ପ୍ରତିମୂର୍ତ୍ତିଟିଏ ଆଜି ବି ତିଆରି ହୋଇପାରିନି । ପୂର୍ବତନ ସେନା ଅଧିକାରୀ କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ ଓ ପୂର୍ବତନ ସେନାଅଧିକାରୀ ସୋମେୟା ମୁର୍ମୁ କହିଛନ୍ତି, ଏହା ଅତି ଦୁଃଖର କଥା । କାର୍ଗିଲ ହିରୋ ସୁଦାନ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏହା ମୟୂରଭଞ୍ଜ ମାଟି ପାଇଁ ଗର୍ବର କଥା । ଯଦି ସହୀଦ ସୁଦାନ ଟୁଡୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ ତେବେ ଏହା ଆଗାମୀ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ ।

OTV is now on Whatsapp

Join and get latest news update delivered to you via whatsapp

Join Now