ଟପ୍ପର ଲକ୍ଷ୍ମୀପ୍ରିୟା ସ୍ବପ୍ନ ଦେଖୁଛନ୍ତି, ହେଲେ ଅର୍ଥ ସାଜିଛି ବାଧକ

ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ ।

Matric Topper

ମାଟ୍ରିକ ଟପ୍ପରଙ୍କ ପାଠପଢାରେ ଅର୍ଥ ସାଜିଛି ବାଧକ । ଆଖିରେ ତାଙ୍କର ଆଖିଏ ସ୍ୱପ୍ନ ପାଠ ପଢି ପ୍ରଫେସର ଟିଏ ହେବେ । ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କ ଆଗରେ ଅଭେଦ୍ୟ ପ୍ରାଚୀର ହୋଇ ଛିଡ଼ା ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାହାରାକୂଳ ଗାଁର ଲକ୍ଷ୍ମୀପ୍ରିୟା ପଣ୍ଡା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସେ ମୋଟ ୫୨୬ ନମ୍ବର ତଥା ୮୭.୬% ରଖି ଆଳି ବ୍ଲକରେ ଟପ୍ପର ହୋଇଛନ୍ତି । ଆଗକୁ ମ୍ୟାଥ୍ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଆର୍ଥିକ ସମସ୍ୟା ଯେମିତି ତାଙ୍କୁ ପଛରୁ ଟାଣିଧରିଛି ।

ବାପା, ମାଆ, ଗୋଟିଏ ଭାଇ, ଭଉଣୀ ଓ ଜେଜେବାପାଙ୍କୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ପରିବାର । ତାଙ୍କ ବାପା ଘରଘର ବୁଲି ପୂଜା କରିଥାନ୍ତି । ଯାହା ମିଳେ ସେଥିରେ ପରିବାର ଚଳେ । ବହୁ କଷ୍ଟରେ ଲକ୍ଷ୍ମୀପ୍ରିୟାଙ୍କୁ ଏତେ ବାଟ ପାଠ ପଢ଼ାଇଛନ୍ତି । କିନ୍ତୁ ଆଗକୁ ଝିଅର ପଢାଖର୍ଚ୍ଚ ଯୋଗାଡ଼ କରିବା ବାପା ରବୀନ୍ଦ୍ରଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।

ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସରକାରୀ ବା ବେସରକାରୀ ସ୍ତରରେ ତାଙ୍କୁ ଆର୍ଥିକ ସହାୟତା ମିଳିଲେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଁଚି ପାରିବେ ।