• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିଆଁ ଆଁରେ ଚନ୍ଦକା ଅଭୟାରଣ୍ୟ । କାଲି ଗୋଡ଼ିବାରୀ ଜଳୁଥିଲା, ଆଉ ଆଜି ଝୁମ୍‌କା । ଯୁଆଡ଼େ ଅନେଇଲେ, ନିଆଁ ଆଉ ଧୂଆଁ । ଜୀବଜନ୍ତୁ ଅସ୍ତବ୍ୟସ୍ତ, ମଣିଷ ନୟାନ୍ତ । ହୁତ୍ ହୁତ୍ ହୋଇ ଜଳୁଛି ବାଉଁଶ ବଣ। ଚାରିଆଡ଼େ ଧଳା ପାଉଁଶର ଆସ୍ତରଣ । ପାହାଡ଼ ଓ ଜଙ୍ଗଲ ଉପର ଆକାଶରେ ଧୂଆଁର ଚାଦର । କେବଳ ମଝିରେ ମଝିରେ ଶୁଭୁଛି ନିଆଁ ଝାସରେ କଲବଲ ହେଉଥିବା ପକ୍ଷୀର କିଚିରି ମିଚିରି ଓ ଜୀବଜନ୍ତୁଙ୍କ ଆର୍ତ୍ତ ଚିତ୍କାର । ସ୍ଥାନୀୟ ଲୋକଙ୍କ କହିବା କଥା, ଜଙ୍ଗଲରେ ନିଆଁର ପ୍ରକୋପ ଏତେ ଅଧିକ ଯେ କେବଳ ଜୀବଜନ୍ତୁ ନୁହନ୍ତି, ଜଙ୍ଗଲ ପାଖ ଗାଁରେ ରହିବା ବି ସମ୍ଭବ ହେଉନି । ଦେହ ହାତ ସିଝି ଯାଉଛି । ଏପଟେ ବନ ବିଭାଗ କର୍ମଚାରୀଙ୍କ କହିବା କଥା, ବନାଗ୍ନି ଖବର ପାଇବା ପରଠୁ ସେମାନେ ନିଆଁ ଲିଭା କାମରେ ଲାଗିଛନ୍ତି । ହେଲେ ବୋଲ ମାନୁନି ନିଆଁ ।

କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ । ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ହଜାର ୬୬୭ଟି ସ୍ଥାନରେ ଲାଗିଛି ଜଙ୍ଗଲ ନିଆଁ । କେବଳ ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୫୩୫ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି, ଯାହାକି ଦେଶରେ ସର୍ବାଧିକ। ଏନେଇ ପିସିସିଏଫ୍ କହିଛନ୍ତି, ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତରେ ରହିଛି। ବନ ବିଭାଗ ୧୦୦ ପ୍ରତିଶତ ନିଆଁକୁ ଲିଭାଇବାରେ ସମର୍ଥ ହେଉଛି । ତେବେ ବାଲିଗୁଡ଼ା, ଫୁଲବାଣୀ, ବଣେଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ଟି ବନଖଣ୍ଡରେ ଅଧିକ ନିଆଁ ଲାଗୁଥିବାରୁ ଓଡ୍ରାଫ୍ ନିୟୋଜନ କରାଯାଇଛି ।

ଜଙ୍ଗଲ ନିଆଁ ଯୋଗୁ ପ୍ରତିବର୍ଷ ରାଜ୍ୟରେ କୋଟି କୋଟି ଟଙ୍କାର ମୂଲ୍ୟବାନ ବୃକ୍ଷ ଓ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ପ୍ରଶ୍ନ ଉଠୁଛି, ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ କାହିଁକି ଏହାକୁ ରୋକିବାରେ ସମର୍ଥ ହେଉନି ବନ ବିଭାଗ ?

  • Reported by:
  • KAPILENDRA PRADHAN