କୋଇଡ଼ାରେ ଅଭାବନୀୟ ଘଟଣା, ରେଡିଓ କଲାର ଲାଗିବା ପରେ ବି କେମିତି ଦଳି ମାରୁଛି ଦନ୍ତା ?

ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ।

Elephant

କୋଇଡାରେ ମାତିଛି ନରହନ୍ତା ଦନ୍ତା । ଗୋଡାଇ ଗୋଡ଼ାଇ ଦଳି ଜୀବନ ନେଉଛି । ହେଲେ ପ୍ରଶ୍ନ, ଇଏ ସେହି ନରହନ୍ତା ଦନ୍ତା ଯାହାକୁ ୧୫ ଦିନ ତଳେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ଏବଂ ତା ଦେହରେ ରେଡିଓ କଲାର ଲଗା ଯାଇଥିଲା । ରେଡିଓ କଲାର ଲଗାଇବା ସତ୍ତ୍ବେ କେମିତି ସେ ଜନବସତି ଅଞ୍ଚଳକୁ ଆସି ଉତ୍ପାତ କରୁଛି, ଜୀବନ ନେଉଛି ତାହା ହେଉଛି ବଡ଼ ପ୍ରଶ୍ନବାଚୀ । କାରଣ ହାତୀର ଗତିବିଧି ଜାଣିବା ପାଇଁ ହିଁ ତା ଦେହରେ ରେଡିଓ କଲାର ଲଗାଯାଇଥିଲା ।

ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ଗ୍ରାମର ହରଚଣ୍ଡା ସାହିର ପଚାଶ ବର୍ଷୀୟ ସମା ମୁଣ୍ଡା ସଂପୃକ୍ତ ଦନ୍ତା ଆକ୍ରମଣରେ ଜୀବନ ହାରିଛନ୍ତି ।

ସୂଚନା ଅନୁସାରେ ଦନ୍ତା ହାତୀଟି ବିଳମ୍ବିତ ରାତ୍ରିରେ ସମାଙ୍କ ଘର ନିକଟକୁ ଆସିଥିଲା । ପରିବାର ଲୋକ ଜୀବନ ବିକଳରେ ଘର ଛାଡି ଦୌଡ଼ି ଯାଉଥିବା ବେଳେ ସମା ଦନ୍ତା ସାମ୍ନାରେ ପଡ଼ି ଯାଇଥିଲେ । ତାଙ୍କୁ ଦନ୍ତା ଶୁଣ୍ଢରେ ଟାଣି ନେଇ ଘର ବାହାରେ ପାଦରେ ଦଳି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବନ ବିଭାଗ ଶବକୁ ଜବତ କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକ । ସେପଟେ ଏ ନେଇ ବନବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ ।