ଏମିତି ପୁଅ କାହାକୁ ନମିଳୁ, ସମ୍ପତ୍ତି ପାଇଁ ମାଆକୁ ମାରୁଛି ପୁଅ

ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି ।

Man Beats His Mothe

ଯାତ୍ରା ମଞ୍ଚରେ ମା’କୁ ପୁଅ ମାଡ଼ ମାରୁଥିବାର ଦୃଶ୍ୟ ଆପଣ ଦେଖିଥିବେ । ତାହା ତ କେବଳ ଅଭିନୟ ଥାଏ । କିନ୍ତୁ ବାସ୍ତବ ଦୁନିଆରେ ଏଭଳି ଦେଖିବାକୁ ମିଳିଛି । ୭୫ ବର୍ଷିୟ ବୃଦ୍ଧା ମା’ ଉପରେ ଅକଥନୀୟ ନିର୍ଯାତନା ଦେଉଛି ପୁଅ । ସମ୍ପତ୍ତି ପାଇଁ ଜନ୍ମକଲା ମା’କୁ ମାଡ଼ ମାରିଚାଲିଛି ପୁଅ । ଆଉ ପୁଅର ନିର୍ଯାତନା ସୀମା ଟପିବା ପରେ ମା’ ନେଇଛି ଆଇନର ସାହାରା । ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି ।

ବୟସର ଅପରାହ୍ଣରେ ବଇରୀ ସାଜିଛି ପୁଅ । ସେଇଥିପାଇଁ ତ ଏଇ ଆଖିରୁ ଆଉ ଲୁହ ଶୁଖୁନି । ବୃଦ୍ଧା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସିଂହାରପୁର ଶଶୀକଳା ମଲ୍ଲିକ । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି... ବୟସାଧିକ କାରଣରୁ ଆଉ ଭଲରେ ବି ଚାଲି ପାରୁନାହାନ୍ତି । ସ୍ୱାମୀଙ୍କୁ ବ୍ରେନଷ୍ଟ୍ରୋକ । ବଡ଼ ପୁଅ ବିଦେଶରେ ରହି ଟଙ୍କା ପଠାଇଲେ ଘର ଚଳୁଛି । ମଝିଆ ପୁଅ ପକ୍ଷାଘାତରେ ପୀଡିତ । ଏମିତି ପରିସ୍ଥିତିରେ ପରିବାର ବୋଝକୁ କାନ୍ଧ ଦେବ କ’ଣ ଜନ୍ମକଲା ମା’କୁ ସାନ ପୁଅଟା ମାରି ଚାଲିଛି । ସମ୍ପତ୍ତି ପାଇଁ ଯେମିତି ନୃଶଂସ ପାଲଟିଯାଉଛି ।

ତେବେ ଏହା ନୂଆ ନୁହେଁ ଏହା ପୂର୍ବରୁ ଏମିତି ଅନେକ ଥର ଶଶୀକଳାଙ୍କୁ ସାନପୁଅ ମାଡ଼ ମାରିଛି । ହେଲେ କେବେବି ମା’ ପାଟି ଫିଟାଇ ବିରୋଧ କରିନି। ହେଲେ ଅତ୍ୟାଚାର ବଢ଼ିବା ପରେ ପୁଅର ବିରୁଦ୍ଧରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛି ମା’ । ଆଉ ଗୁହାରି କରିଛି ପୁଅର ଅତ୍ୟାଚାରରୁ ରକ୍ଷା କରିବାକୁ । ମାତ୍ର ପୋଲିସ ଅଭିଯୋଗ ପାଇବା ପରେ ମା’କୁ ଘରକୁ ଫେରାଇ ଦେଇଛି । ଆଉ ଘରେ ପହଞ୍ଚିବା ପରେ ପୁଣି ମାଡ଼ ମାରିଛି ପୁଅ ।

ମା’ର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲାନି ପୋଲିସ । ବୁଝାସୁଝା କରି ଛାଡ଼ଦେଲା । କିନ୍ତୁ ଏ ବୁଢ଼ା ବୟସରେ ଏବେ ବାପା ମା’ କ’ଣ କରିବେ, କେମିତି ସୁରକ୍ଷିତ ରହିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।