ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ମମତା ବାନାର୍ଜୀ ହେଉଛନ୍ତି ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ । ଚାରି ଧାମ ଭିତରୁ ଶ୍ରୀକ୍ଷେତ୍ର ପୁରୀ ହେଉଛି ଗୋଟିଏ ଧାମ । କେବଳ ହିନ୍ଦୁ ଭୋଟ ପାଇଁ ଦୀଘାରେ ପୁରୀ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ମମତା ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।
ମମତାଙ୍କୁ କଡ଼ା ସମାଲୋଚନା କରି ସୁରେଶ ପୂଜାରୁ ଆହୁରି କହିଛନ୍ତି ଯେ, ମମତା ଦିଦି ଖଟରୁ ଉଠିଲା ମାନେ ରାଗି । କ୍ରୋଧ ପ୍ରକଟ କରିବାରେ ପୃଥିବୀରେ ତାଙ୍କ ପୂର୍ବରୁ କେହି ନଥିଲେ କି ପରେ କେହି ହେବେନି । କେବଳ ଭୋଟ ହାତେଇବା ପାଇଁ ସେ ବାଲାଂଦେଶରୁ ଅନୁପ୍ରବେଶକାରୀକୁ ପଶ୍ଚିମବଙ୍ଗରେ ପ୍ରବେଶ କରାଉଛନ୍ତି । ଭୋଟର କାର୍ଡ, ରାସନ କାର୍ଡ ଦେଉଛନ୍ତି । ଏହି ଅନୁପ୍ରବେଶକାରୀ ଓଡ଼ିଶା ଆସି ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।
ମମତା ବାନାର୍ଜୀଙ୍କ ଶାସନରେ ପଶ୍ଚିମବଙ୍ଗ ଆତଙ୍କବାଦୀଙ୍କ ଏନ୍ତୁଡିଶାଳ ହୋଇଯାଇଛି । ଭାରତୀୟ ଗଣତନ୍ତ୍ରର ଇତିହାସ କେବେ ମମତା ବାନାର୍ଜୀଙ୍କୁ କ୍ଷମା ଦେବନି । ମହାପ୍ରଭୁ ମମତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ଦୀଘା ଦିଅଁ ନିର୍ମାଣ ବିବାଦ, ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜବତ, ୯ ଗିରଫ
ସେହିପରି ଶ୍ରୀମନ୍ଦିରର ସେବାୟତ ମଧ୍ୟ ମମତାଙ୍କୁ ଘେରିଛନ୍ତି । କେବଳ ହିନ୍ଦୁ ଭୋଟ୍ ହାତେଇବା ପାଇଁ ମମତା ବାନାର୍ଜୀ ଏମିତି ରାଜନୀତି କରିଛନ୍ତି । ଜଗନ୍ନାଥ ସଂସ୍କୃତିକୁ ସେ ହୀନ ଦୃଷ୍ଟିରେ ଦେଖୁଛନ୍ତି । ସେ ଚକ୍ରାନ୍ତ କରି ଦୀଘାରେ ମନ୍ଦିର ତିଆରି କରିଛନ୍ତି ।
ସାରା ଭାରତ ଜାଣିଛି ମମତା ବାନାର୍ଜୀ ଲଗାମଛଡ଼ା । କେବଳ କ୍ଷମତାକୁ ଜାବୁଡି ରଖିବା ପାଇଁ ଏହା ତାଙ୍କର ହୀନ ରାଜନୀତି । ସେ ଆରାଧ୍ୟ ଦିଅଁ ଦେବତାକୁ ନେଇ ରାଜନୀତି କରୁଛନ୍ତି । ସରକାରୀ ପଇସାରେ ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି କରି ସେଠି ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବିକୃତ କରିଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ।
ଆଜି ଦୀଘା ମନ୍ଦିର ପ୍ରସଙ୍ଗରେ ମମତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଥିଲେ, ''ଆମେ ପୁରୀ ଜଗନ୍ନାଥ ମନ୍ଦିରକୁ ସମ୍ମାନ କରୁଛୁ ଓ ଜଗନ୍ନାଥ ଧାମକୁ ବି ସମ୍ମାନ କରୁଛୁ । ତେବେ ବିଜେପି ଯାହା କଲେ କିଛି କୁହାଯାଉନି, ଆମ ଉପରେ ଏତେ ରାଗ କାହିଁକି ।'' ତେବେ ଦୀଘାକୁ ଜଗନ୍ନାଥ ଧାମ କହିବା ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ ମମତା ।