Mahanadi Falls Prey To Sand Mafia: ମାଫିଆଙ୍କ କବଜାରେ ମହାନଦୀ, ଜେସିବି ଲଗାଇ ଖୋଳା ଚାଲିଛି

ଶୁଖିଲା ପଡିଛି ମହାନଦୀ । ଜୁଆଡେ ଚାହିଁଲେ ବିସ୍ତୀର୍ଣ୍ଣ ବାଲି ଶଯ୍ୟା ।

Sand Mafia

ଶୁଖିଲା ପଡିଛି ମହାନଦୀ । ଜୁଆଡେ ଚାହିଁଲେ ବିସ୍ତୀର୍ଣ୍ଣ ବାଲି ଶଯ୍ୟା । ଯାହାର ଭରପୁର ଫାଇଦା ଉଠାଇ ଏହା ଉପରେ କବଜା କରୁଛନ୍ତି ମାଫିଆ । ବେଧଡକ କରୁଛନ୍ତି ବାଲିଲୁଟ୍, ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଏଭଳି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲ ବଡ଼ବାଣପୁର ଅଞ୍ଚଳରୁ ।

ପ୍ରଶାସନର ସବୁ ନିୟମକୁ ଫୁ କରି ବାଲି ଲୁଟି ନେଉଛନ୍ତି ମାଫିଆ । ବଡ଼ବାଣପୁର ଓ ଆଖପାଖ ଅଞ୍ଚଳରେ ଦିନରାତି ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ନଦୀ ଭିତରେ ଏକ କିଲୋମିଟର ପର୍ଯ୍ୟନ୍ତ ଏକ ବେଆଇନ ରାସ୍ତା କରାଯାଇ ଲୁଟ ହେଉଛି ଶହଶହ ଟ୍ରିପ୍ ବାଲି ।

ବାଲିଘାଟରୁ ଏତେ ପରିମାଣର ବାଲି ବାହାର କରାଗଲାଣି ଯେ, ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି । ଯାହାକୁ ନେଇ ଆଖପାଖ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ପ୍ରଶାସନ ସହ ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବାଲି ଲୁଟ ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ପ୍ରତିଦିନ ହାଇୱା ଯୋଗେ ଶତାଧିକ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଯେଉଁଥିପାଇଁ ରାସ୍ତା ଗୁଡିକ ଖରାପ ହେବା ସହ ଦୁର୍ଘଟଣା ବୃଦ୍ଧି ହୋଇଛି । ହେଲେ ଏତେ ଅଭିଯୋଗ ସତ୍ତ୍ୱେ ଯେପରି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି ପ୍ରଶାସନ । ବେଆଇନ ବାଲି ଚାଲାଣକୁ ବିରୋଧ କଲେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖେଇବା ସହ ହତ୍ୟା ଧମକ ଦେଉଛନ୍ତି ବାଲି ମାଫିଆ ।

ତେବେ ବାରମ୍ବାର ଅଭିଯୋଗ ହେବା ପରେ ନୟାଗଡ ମାଇନିଙ୍ଗ ଅଫିସରଙ୍କ ତତ୍ୱାବଧାନରେ ଜୁଲାଇ ୧୨ ତାରିଖରେ ଖଣ୍ଡପଡା ତହସିଲଦାର, କଣ୍ଟିଲୋ ଆର୍‌‌ଆଇ ଏବଂ ସ୍ଥାନୀୟ ଫାଣ୍ଡି ସହାୟତାରେ ଏହାର ତଦନ୍ତ କରାଯାଇଥିଲା । ବେଆଇନ ବାଲି ଘାଟକୁ ଅନିଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ସହ ୧୪୪ ଧାରା ମଧ୍ୟ ଜାରି ହୋଇଥିଲା ।

ହେଲେ ଏବେ ପୁଣି ଚୋରା ଚାଲାଣ ଆରମ୍ଭ ହୋଇଗଲା । ତେବେ ଏ ସର୍ମ୍ପକରେ ନୟାଗଡ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଦେଖିବାକୁ ବାକି ରହିଲା ଏ ଅଞ୍ଚଳରେ କେବେ ବନ୍ଦ ହେଉଛି ବାଲି ଚୋରା ଚାଲାଣ ।