Maha Shivaratri: ଆଜି ମହାଶିବରାତ୍ରୀ; ସକାଳୁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ।

ଆଜି ମହାଶିବରାତ୍ରୀ

ଆଜି ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା । ଉପବାସ ଓ ଉଜାଗର ରହି ଦୀପ ଜାଳିବେ ବ୍ରତଧାରୀ । ଏଥିପାଇଁ ସକାଳୁ ସକାଳୁ ଭକ୍ତମୟ ପରିବେଶରେ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶୈବପୀଠ । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋର୍‌ରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ରାତି ୧୦ଟାରେ ଏକାମ୍ର ଅଧୀଶ୍ୱର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ ।  ମହାଦୀପ ଦର୍ଶନ କରି ନିଜର ବ୍ରତ ଭାଙ୍ଗିବେ ବ୍ରତଧାରୀ । ଆଜି ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ :  ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ଦିନ ୧୧ ଯାଏଁ ସାହାଣମେଲା ଦର୍ଶନ:

ଜାଗର ପାଇଁ ରଙ୍ଗବେରଙ୍ଗୀ ଫୁଲରେ ସୁସଜ୍ଜିତ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । ରାତି ୨ଟାରୁ ମନ୍ଦିର ଦ୍ୱାର ଖୋଲାଯାଇଛି । ଭୋର୍ ୩ଟାରୁ ସାଢେ ୩ଟା ଭିତରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହୋଇଛି । ଦିନ ୧୧ଟା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଧାଡ଼ିରେ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ସେବାୟତମାନେ ଲାଗି ପଡିଛନ୍ତି । 

କଡ଼ା ଆଇନ ଶୃଙ୍ଖଳା ବ୍ୟବସ୍ଥା:

ମହାଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରଯାଇଛି । ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଓ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗତକାଲି ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ପୂର୍ବରୁ ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ନିଯୁକ୍ତ ହେବେ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସୁରୁଖୁରୁରେ ଯେପରି ଜାଗର ନୀତି ସମ୍ପନ୍ନ ହେବ, ସେନେଇ ସମସ୍ତ ନିଯୋଗ ଏବଂ ସେବାୟତଙ୍କୁ ନିବେଦନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।

ଅଧିକ ପଢ଼ନ୍ତୁ : ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି