Advertisment

ଶ୍ରୀମନ୍ଦିରକୁ ଅନ୍ଧାର ରଖିବା ପଛରେ ଦାୟୀ କିଏ ?

ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ।

author-image
Manoranjan Behera
undefined

Jagannath Temple

କାହିଁକି ୨ଦିନ କଳା ଅନ୍ଧାରରେ ରହିଲା ଖୋଦ୍ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ। କାହା ନିର୍ଦ୍ଦେଶରେ ଲାଇଟ୍ ଖୋଲି ନେଲା ଦାୟିତ୍ୱରେ ଥିବା ଠିକା ସଂସ୍ଥା ? ୟାକୁ ନେଇ ଭକ୍ତ ଓ ସେବକଙ୍କଠୁ ଗଣମାଧ୍ୟମ ଯାଏଁ, ସବୁଠି ତମ୍ବିତୋଫାନ ପରେ ହଠାତ୍ ଚେଇଁଛି ପ୍ରଶାସନ। ଆଜି ନିଜେ ମୁଖ୍ୟ ଶାସନ ସଚିବ ପୁରୀ ଯାଇ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ପୁନଃ ଆଲୋକୀକରଣରେ ଝଲସିଛି ଶ୍ରୀମନ୍ଦିର।

Advertisment

ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ। ଏହାକୁ ନେଇ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଏବଂ ମୁଖ୍ୟ ଶାସନ ସଚିବଙ୍କ ନତାଘନା ପରେ ଶ୍ରୀମନ୍ଦିର ଚାରିକଡେ ଆଜି ପୁଣି ଜଳିଛି ଫୋକସ ଲାଇଟ୍।

ପୂର୍ବଭଳି ଉଜ୍ଜଳ ଆଲୋକରେ ଝଲସୁଛି, ଭକ୍ତଙ୍କୁ ଆମୋଦିତ କରୁଛି। ହେଲେ ଏଠି ପ୍ରଶ୍ନ- କାହିଁକି ଦୁଇ ଦିନ ଅନ୍ଧାରରେ ରହିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ? କେଉଁ କାରଣରୁ ଓ କାହା ନିର୍ଦ୍ଦେଶରେ ଖୋଲି ନିଆଯାଇଥିଲା ଏଲଇଡି ଲାଇଟ୍ ? ତାର କାରଣ ଖୋଜା ଯିବା ସହ ଘଟଣାରେ ସିଂହଦ୍ୱାର ଥାନାର ଏତଲା ବି ଦେଇଛି ପୁରୀ ସଚେତନ ନାଗରିକ ମଞ୍ଚ।

Advertisment

ସୂଚନା ଅନୁସାରେ ଶହ ଶହ କୋଟି ଟଙ୍କା ବ୍ୟୟରେ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରଠୁ ଶ୍ରୀମନ୍ଦିର ଓ ଏହାର ଚତୁପାର୍ଶ୍ୱକୁ ହାଇ ଫୋକସ୍ ଲାଇଟ୍‌ରେ ଆଲୋକୀକରଣ କରାଯାଉଥିଲା। ରାତିବେଳା ସେ ଲାଇଟରେ ଝଲସୁଥିଲା ଶ୍ରୀମନ୍ଦିର। ଥାର୍ଡ ୱେଭ୍ ନାମକ ଦିଲ୍ଲୀର ଏକ ଠିକା ସଂସ୍ଥାକୁ ଲାଇଟ୍ ଲଗାଇବା ଦାୟିତ୍ୱ ଦିଆଯାଇଥିଲା। ହେଲେ ଗତ ୪ ତାରିଖରେ ରାଜ୍ୟରେ ବିଜେଡି ସରକାର କ୍ଷମତାରୁ ଯିବା ପରେ ପରେ ହଠାତ ତା ପରଦିନଠୁ ଗୋଟିଏ ପରେ ଗୋଟିଏ ଲାଇଟ୍ ଖୋଲି ନେଇଥିଲା ଉକ୍ତ ସଂସ୍ଥା।

ସ୍ଥିତି ଏଭଳି ହେଲା ଯେ, ୭ ତାରିଖ ସଂଧ୍ୟା ବେଳକୁ ରାଧାବଲ୍ଲଭ ମଠରୁ ମଙ୍ଗୁ ମଠ, ଶ୍ରୀମନ୍ଦିର ୪ ଦ୍ୱାର ଏବଂ ମେଘନାଦ ପାଚେରୀ ପାଖରେ ବି ଲାଇଟ୍ ଟିଏ ନଥିଲା। ତେବେ କାହିଁକି ସେ ସଂସ୍ଥା ଲାଇଟ୍ ଖୋଲିନେଲା ? କଣ ତାର ଅସୁବିଧା ହେଲା ? ତାକୁ ନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ହଠାତ ଚେଇଁଥିଲା ପ୍ରଶାସନ।

ଆଜି ନିଜେ ମୁଖ୍ୟ ଶାସନ ସଚିବ ପୁରୀ ଯାଇ ଘଟଣାର ଅନୁଧ୍ୟାନ କରି ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଜରୁରୀ ବୈଠକ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଲାଇଟ୍ ଖୋଲି ନିଆଯିବା ଘଟଣାରେ ସିଂହଦ୍ୱାର ଥାନା ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ବି କରିଛି। ହେଲେ ଲାଇଟ୍ ଲଗାଇଥିବା ଦିଲ୍ଲୀର ଠିକା ସଂସ୍ଥା ଥାର୍ଡ ୱେଭ, କାହା ନିର୍ଦ୍ଦେଶରେ ଓ କାହିଁକି ଲାଇଟ୍ ଖୋଲିନେଲା ସେ ସମ୍ପର୍କରେ କିନ୍ତୁ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଜଣେ ସାଧାରଣ କର୍ମଚାରୀ କହିଛନ୍ତି ଟେଣ୍ଡର ସରିଯିବାରୁ ଆମେ ଲାଇଟ୍ ଖୋଲି ନେଇଗଲୁ।

ସେପଟେ ଯଦିଓ ଆଜି ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାକୁ ପୁନଃ ଲାଇଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ତେବେ ଶ୍ରୀମନ୍ଦିର ଚାରିପାଖେ ସମ୍ପୂର୍ଣ୍ଣ ଆଲୋକୀକରଣ ହୋଇପାରିନି।

Jagannath Temple Electricity Cuts
Advertisment
Advertisment