୨୦୨୧ରୁ ଏଠି ପୋଲ କାମ ଚାଲିଛି ଯେ ଚାଲିଛି... ସରିବାର ନାଁ ଧରୁନି । ନିର୍ମାଣ ଅବଧି ସିନା ସରିଗଲା, ହେଲେ ପିଲାରଟିଏ ବି ଛିଡ଼ା ହୋଇପାରିଲାନି । ୨୦୨୧ରୁ ୨୦୨୪ ବିତିଗଲା ୩ ବର୍ଷ, ହେଲେ ପୋଲ ତ ଦୂରର କଥା ପୋଲ ପାଇଁ ଛିଡ଼ା ହେବାକୁ ଥିବା ପିଲାରଟିଏ ଦେଖିପାରିଲେନି ଏଠିକାର ବାସିନ୍ଦା । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।
Also Read
ଏଠାରେ ପୋଲ ନିର୍ମାଣ ପାଇଁ ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ଶୁଭ ଦେଇଥିଲେ । ନାବାର୍ଡ ସହାୟତାରେ ୩୫ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ କାମକୁ ୨୭ କୋଟି ୯୬ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଠିକାଦାର ପୂର୍ତ୍ତ ବିଭାଗ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ । ଯାହାର କାର୍ଯ୍ୟ ଅବଧି ୨୦୨୪ ଜୁଲାଇ ୭ ତାରିଖ ସୁଦ୍ଧା ରହିଥିଲା । ହେଲେ ଏହାର ସମୟ ସୀମା ଶେଷ ହୋଇଥିଲେ ମଧ୍ୟ କାମ ଯେମିତି ଶୂନ।
ଅଧିକ ପଢ଼ନ୍ତୁ: କଟକରେ 5-T କାମରେ ମହାଦୁର୍ନୀତି; ନିର୍ମାଣାଧୀନ ସ୍ପୋର୍ଟସ କଂପ୍ଲେକ୍ସରେ ବ୍ୟବହାର ହେଉଛି ପୁରୁଣା ସାମଗ୍ରୀ
ପୋଲ କାମ ସମ୍ପୂର୍ଣ୍ଣ ହେଲେ ନଦୀ ପାଖରେ ଥିବା ୨୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହୋଇପାରିବେ । ପୋଲ ଖଣ୍ଡିଏ ନଥିବା କାରଣରୁ ମାତ୍ର ୧ କିଲୋମିଟର ବାଟ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ୧୫ କିମି ରାସ୍ତା ବୁଲି ବୁଲି ଯିବାକୁ ପଡୁଛି । ଠିକାଦାର ଜଣକ ପୋଲ କାମକୁ ମନ୍ଥର ଗତିରେ ଜାରି ରଖିଥିବାରୁ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଯଥା ଶୀଘ୍ର ପୋଲ କାମ ସାରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଅଂଚଳବାସୀ । ତେବେ ଅଂଚଳବାସୀଙ୍କ ସମସ୍ୟା କେବେ ଦୂର ହେବ ଓ ସମସ୍ୟାକୁ ସରକାର କେତେ ଗୁରୁତର ସହ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।