Ground Zero Reality: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି, ଅନ୍ଧାରୀ ଜୀବନ ଜୀଉଁଛନ୍ତି ବିସ୍ଥାପିତ

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

Jalaput Cutoff Village

ଗାଁର ନାଁ ସାବୁନ୍ । କୋରାପୁଟ୍ ଜିଲ୍ଲାର ଏକ ଅନ୍ଧାରୀ ମୂଲକର ଗାଁ ଇୟେ । ଯେଉଁ ଗାଁରେ ନା ସରକାରୀ ବାବୁଙ୍କ ପାଦପଡ଼େ ନା ବିକାଶର ସୂର୍ଯ୍ୟ ଉଏଁ । ଜଳବନ୍ଦୀ ଜୀବନ ଭିତରେ ଉବୁଟୁବୁ ଏହି ଦୁର୍ଗମ ଇଲାକା । କେବଳ ଏହି ସାବୁନ୍ ଗାଁ ନୁହଁ, ଉପରସାବୁନ ସହ ଲାମାଣ୍ଡୁରର ଭାଗ୍ୟ ଓ ଭବିଷ୍ୟତ ଆଜି ବି ବୁଡ଼ିରହିଛି ଜଲାପୁଟ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିରେ । ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

ଜଙ୍ଗଲି ଜାତ ଦ୍ରବ୍ୟ ଉତ୍ପାଦ କରି ଜୀବନ ଧାରଣ କରୁଛନ୍ତି ସତ, କିନ୍ତୁ ଏମାନଙ୍କୁ ଛୁଇଁ ପାରିନି ବିକାଶ । ଗାଁର ଦୁର୍ଦ୍ଦଶା ସଂପର୍କରେ ଜାଣିବା ପାଇଁ ଏଇଠୁ ଆରମ୍ଭ ହୋଇଥିଲା ଜଳଯାତ୍ରା । ଏକ ଦେଶୀ ଡଙ୍ଗାରେ ବସି ଆମ ରିପୋର୍ଟର୍ ବାହାରିଥିଲେ ଗନ୍ତବ୍ୟସ୍ଥଳକୁ । ୨୦ ମିନିଟର ଜଳଯାତ୍ରା ଭିତରେ ପହଞ୍ଚିଥିଲେ ଜଲାପୁଟ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳ ରାଶି ଭିତରେ ଥିବା ସାବୁନ ଗାଁରେ ।

ଅଧିକ ପଢ଼ନ୍ତୁ: ହତ୍ୟା ପାଇଁ ହୋଇଥିଲା ଅଢ଼େଇ ଲକ୍ଷ ଟଙ୍କାର ସୁପାରି ଡିଲ୍

ନନ୍ଦପୁର ବ୍ଲକ ବିଲାପୁଟ୍ ପଞ୍ଚାୟତଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଏହି ଗାଁରେ ପରିବହନର ମାଧ୍ୟମ କହିଲେ କେବଳ ହୁଲି ଡଙ୍ଗା । କାରଣ ପ୍ରଶାସନର ମୋଟର୍ ବୋଟ୍ ଟି ଅଚଳ । ଗାଁରେ ପହଞ୍ଚିବା ପରେ ସେଠାକାର ଚିତ୍ର ଦେଖିବା ପରେ ତାଜୁବ୍ ହୋଇଗଲେ ସମସ୍ତେ । ନା ଭଲ ରାସ୍ତା ଅଛି, ନା ସ୍କୁଲ । ନା ଡାକ୍ତରଖାନା ଅଛି ନା ବିଜୁଳି ବ୍ୟବସ୍ଥା ।

ବିପଦ ଆପଦ ପଡ଼ିଲେ ସାହା କେବଳ ଗାଁର ଆଶା ଦିଦି ବୃନ୍ଦା ଖିଲ । କାହାକୁ ଜ୍ୱର କିମ୍ବା ପ୍ରସବଜନିତ ଜରୁରୀପଡ଼ିଲେ ଡଙ୍ଗାରେ ଧରି ମେଡ଼ିକାଲ୍ ନିଅନ୍ତି ସମସ୍ତଙ୍କୁ । ପିଲା ବି ପାଠପଢ଼ିବାକୁ ଜବାଗୁଡ଼ା ଗାଁ ସ୍କୁଲକୁ ଯାଆନ୍ତି ଡଙ୍ଗା ଧରି । ଉପର ସାବୁନ୍ ଓ ଲାମାଣ୍ଡୁରରେ ବି ସମାନ ଅବସ୍ଥା । ପ୍ରାୟ ୩ ଶହ ଜନସଂଖ୍ୟା ବିଶିଷ୍ଟ ଏହି ୩ଟି ଗାଁ ଜଳଭଣ୍ଡାରରେ ବିଚ୍ଛିନ୍ନଭାବେ ରହିଛନ୍ତି ।

୧୯୫୫ ମସିହା । ଜଲାପୁଟ ଜଳଭଣ୍ଡାର କାର୍ଯ୍ୟକ୍ଷମ ହେବା ସହ ବିଦ୍ୟୁତ ଉତ୍ପାଦନ ହେଉଥିଲେ ବି ବିସ୍ଥାପିତ ହୋଇଥିବା ଏହି ୩ଟି ଗାଁ ବାସିନ୍ଦାଙ୍କ ଭାଗ୍ୟରେ ନାହିଁ ଆଲୁଅ ସୁବିଧା । ଯେଉଁ ସୋଲାର୍ ଲାଇଟ୍ ଲାଗିଛି, ତାହା କାମ କରୁନି । କିଛିଦିନ ତଳେ ବିଦ୍ୟୁତ ତାର ବିଛାଇବା ସହ ଖୁଣ୍ଟ ବି ପୋତାଯାଇଛି । କିନ୍ତୁ ବିଜୁଳିର ଦେଖା ଦର୍ଶନ ନାହିଁ ।

ଫଳରେ ସଞ୍ଜ ନଇଁଲେ କିଟି‍ କିଟି ‍ଅନ୍ଧାର ପାଲଟିଯାଏ ବୋଲି କହିଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଏସବୁ ଇଲାକାକୁ ଦେଖିଲେ ଲାଗୁଛି, ସତେଯେମିତି ଆଜି ବି ହାତ ଠାରି ଡାକୁଛି ବିକାଶକୁ । ହେଲେ ଶୁଣୁଛି କିଏ । ଲୋକଙ୍କ ନିବେଦନ କ୍ରମେ ଯେଉଁ ମୋଟର ବୋଟଟିଏ ଦିଆଯାଇଛି, କେବେ ଚାଲୁଛି କେବେ ନାହିଁ । ଏ ସଂପର୍କରେ ନନ୍ଦପୁର ବିଡିଓଙ୍କ କହିବା କଥା, ୩ଟି ଗାଁର ମୌଳିକ ସମସ୍ୟାର ସମାଧାନ ପାଇଁ ସବୁ ପଦକ୍ଷେପ ନିଆଯାଉଛି ।

ଅଧିକ ପଢ଼ନ୍ତୁ: ନାଚୁଛି କଟକ, ଦୁଲୁକୁଛି ବାଲିଯାତ୍ରା ପଡ଼ିଆ; ମହାନଦୀରେ ଜଳକ୍ରୀଡ଼ାର ମଜା ନିଆରା