କାଶ୍ମୀରର ଅନୁଭବ ଦେଉଛି କୋରାପୁଟ, ସୌନ୍ଦର୍ଯ୍ୟରେ ବିମୋହିତ ହେଉଛନ୍ତି ପର୍ଯ୍ୟଟକ

କୋରାପୁଟରେ ବର୍ଷା ହେଉଛି ବିଦ୍ୟୁତ ନୟନା । ସବୁ ବ୍ୟଥା, କ୍ଲେଶ ଦୂରକରି ସେ ପ୍ରକୃତି ଓ ପାହାଡ କୋଳରେ, କଣ୍ଠରେ ଆଣିଦିଏ ମୁଖରତା ।

Koraput

କାଶ୍ମୀରର ଅନୁଭବ ଦେଉଛି କୋରାପୁଟ । ପ୍ରକୃତିରାଣୀର ଅଫୁରନ୍ତ ସୌନ୍ଦର୍ଯ୍ୟ ଭରା କୋରାପୁଟର ସୌନ୍ଦର୍ଯ୍ୟରେ ବିମୋହିତ ହେଉଛନ୍ତି ପର୍ଯ୍ୟଟକ । ଷଡଋତୁର ରାସସ୍ଥଳୀ । ଯେଉଁଠି ପ୍ରକୃତି ହୁଏ ଭାବୁକ ଓ ଦୃଶ୍ୟମାନେ ହୁଅନ୍ତି ପ୍ରାଣବନ୍ତ । ବର୍ଷା ଆସିଲେ ସବୁ ମଳିନତାକୁ ଧୋଇଦେଇ ସବୁଜିମାର ହସ ଫୁଟେ ଏଠି ।

ଦେଓମାଳିର ଦିଗନ୍ତ ବିସ୍ତାରି ସବୁଜିମା । ଯେଉଁଠି ପାହାଡ଼ ମଥାରେ ଚୁମ୍ବନ ଆଙ୍କୁଛି କୁହୁଡ଼ି । ଆଉ ତା ମଝିରେ ବର୍ଷାର ଛିଟା, ଶ୍ରାବଣର ଛୁଆଁ ସତେ ଯେମିତି ରୂପଶି କୋରାପୁଟକୁ ପ୍ରେମରେ ବିଭୋର କରୁଛି । ଭାରତର ଉଟି, ସିମଲା ଓ କାଶ୍ମିରୀ ଭଳି କୋରାପୁଟର ଏହି ସୌନ୍ଦର୍ଯ୍ୟରେ ବିଭୋର ହୋଇଛନ୍ତି ପର୍ଯ୍ୟଟକ।

କୋରାପୁଟରେ ବର୍ଷା ହେଉଛି ବିଦ୍ୟୁତ ନୟନା । ସବୁ ବ୍ୟଥା, କ୍ଲେଶ ଦୂରକରି ସେ ପ୍ରକୃତି ଓ ପାହାଡ କୋଳରେ, କଣ୍ଠରେ ଆଣିଦିଏ ମୁଖରତା । ଶୁଷ୍କ ଓ ନିରସ ଲଣ୍ଡା ପାହାଡ ଦେହରେ ଭରିଦିଏ ପ୍ରାଣର ପ୍ରାଚୁର୍ଯ୍ୟ । ବର୍ଷାରେ ମୁଖରିତ ହୋଇ ଉଠେ ଏହି ମାଟିର ମହକ ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଓଡିଶାର କାଶ୍ମୀର ଭାବେ ପରିଚିତ କୋରାପୁଟ ଜିଲ୍ଲା, ଆଦିମ ଜନଜାତି, ସବୁଜିମା ଭରା ବନପାହାଡ, ଝରଣା, ଅଳସି, ଧାନ, କଫି ଓ ମାଣ୍ଡିଆ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଖାସ୍ ସେଇଥି ପାଇଁ ତ ବର୍ଷା ଦିନେ ମଧ୍ୟ ପର୍ଯ୍ୟଟକ କୋରାପୁଟର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁ ଆସନ୍ତି ।