ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।

Doctor Protest

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।

ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବ୍ରହ୍ମପୁର ଏମକେସିଜିରେ ବରିଷ୍ଠ ଡାକ୍ତର ଓ ସିନିୟର ରେସିଡେଣ୍ଟ ଡାକ୍ତର ଡ୍ୟୁଟି କରୁଛନ୍ତି । ଏମର୍ଜେନ୍ସୀ ଓ କ୍ରିଟିକାଲ୍ କେୟାରରେ ଡ୍ୟୁଟି କରୁଛନ୍ତି ଜୁନିୟର ଡାକ୍ତର ।

ଅଧିକ ପଢ଼ନ୍ତୁ: ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ଏମର୍ଜେନସି ସେବା ଚାଲୁ ରହିବ । ବନ୍ଦ ଯୋଗୁଁ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । ବୁଧବାର ରାତିରେ କଲେଜରେ ଭଙ୍ଗା ରୁଜା ଘଟଣା ଏବଂ ଡାକ୍ତରଙ୍କୁ ମାଡ ମରା ଘଟଣାକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି।

ଏପଟେ ଘଟଣାରେ ଘାଣ୍ଟୁଛି ସିବିଆଇ । RG କର୍ ମେଡିକାଲ୍ କଲେଜକୁ ଯାଇ ପଚରାଉଚରା କରିବା ସହିତ, ଜେରା ପାଇଁ ୫ ଜଣ ଡାକ୍ତରଙ୍କୁ ସମନ୍ କରିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଘରେ ମଧ୍ୟ ପହଞ୍ଚି ତଦନ୍ତ କରିଛି ସିବିଆଇ ଟିମ୍ । ମେଡିକାଲ କଲେଜରେ ଭଙ୍ଗାରୁଜା ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରାୟ ୪୦ ରୁ ୫୦ ଜଣ ଲୋକ ଏହି ଭଙ୍ଗାରୁଜାରେ ସାମିଲ ଥିଲେ । ସେମାନେ ଏମର୍ଜେନ୍ସି ୱାର୍ଡ, ନର୍ସିଂ ଷ୍ଟେସନ ଓ ମେଡିସିନ ଷ୍ଟୋରରେ ବ୍ୟାପକ କ୍ଷୟକ୍ଷତି କରିବା ସହ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା ।

କୋଲକାତା ପୋଲିସ ଏହି ଘଟଣାରେ ସଂପୃକ୍ତ କିଛି ଲୋକଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛି । ଘଟଣାକୁ ନେଇ ପୋଲିସ କହିଛି, ଭୁଲ୍ କ୍ୟାମ୍ପେନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ହିଂସାକାଣ୍ଡ ପରେ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବାବେଳେ, ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ଏପଟେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସମସ୍ତ କାଗଜପତ୍ର ସିବିଆଇକୁ ଦିଆଯାଇଛି । ଆମେ ବି ଚାହୁଁଛୁ ଅଭିଯୁକ୍ତକୁ ଫାଶୀ ମିଳୁ।

ଅଧିକ ପଢ଼ନ୍ତୁ: RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ