• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି । ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ପାଣି ପଶିଛି । 

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା । ବାଲେଶ୍ୱର ବସ୍ତା ବ୍ଲକ ମଥାନୀଠାରେ ସତର୍କ ସଙ୍କେତ ୬.୫୦ ମିଟର ରହିଥିବାବେଳେ ଜଳକା ନଦୀର ଜଳସ୍ତର ବଢ଼ି ଜଳସ୍ତର ୬.୬୮ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨ ଦିନ ହେଲା, ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ନଦୀର ଜଳସ୍ତର ବି ବଢୁଛି । ଏଭଳି ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁଡ଼ିବାର ଆଶଙ୍କା ରହିଛି ।

ସେହିପରି ଅବପାତ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ କରଞ୍ଜିଆ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଆଜି ସକାଳ ୬ଟା ସୁଦ୍ଧା ଶିମିଳିପାଳ ବରେଇପାଣି ଅଞ୍ଚଳରେ ୧୮୩ ଦଶମିକ ୮୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ଡେପୁଟି ଡାଇରେକଟର ସାଇ କିରଣ । ଏଥିଯୋଗୁଁ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି ।

ଦେଓ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଉଥିବାରୁ କରଞ୍ଜିଆରେ ଥିବା ଡ୍ୟାମର ୩ ଗେଟ୍ ଖୋଲାଯାଇଛି। ଡ୍ୟାମର ଜଳଧାରଣ କ୍ଷମତା ୪୧୨ ମିଟର ଥିବାବେଳେ, ବର୍ତ୍ତମାନ ଜଳସ୍ତର ୪୦୯ ମିଟର ଅତିକ୍ର କରିସାରିଥିବାରୁ ଜଳ ନିଷ୍କାସନ କରାଯାଉଛି । ସେହିପରି ଖଇରୀ ଭଣ୍ଡନ, ସାଳନ୍ଦୀ, ବୁଢାବଳଙ୍ଗ ପ୍ରଭୁତି ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । 

OTV is now on Whatsapp

Join and get latest news update delivered to you via whatsapp

Join Now